ବର୍ଣ୍ଣାଳୀ
ବର୍ଣ୍ଣାଳୀ
ଗୋଲାପ ମନ୍ଦାର
ଅଛି କନିଅର
ଜୁଇ ଜାଇ ଚମ୍ପା
ସାଙ୍ଗରେ ଟଗର
ଭଳିକି ଭଳି ଏ ଫୁଲ ଗହଣରେ
କୁହଇ ବଗିଚା
ଦେଖ ମୁଁ କେତେ ଯେ ସୁନ୍ଦର ।
ଧେତ୍
ବାଦଲ ରହିଛି
ବିଜୁଳି ଚମକେ
ଖରା ବର୍ଷା ଶୀତ
ହେମନ୍ତ ବସନ୍ତେ
ରଖିଛି ମୋ ଦେହେ ଯେତେ ସବୁ ରଙ୍ଗ
ପ୍ରକୃତି ମୁଁ
ଋତୁ ଆବର୍ତ୍ତନେ ପ୍ରକାଶେ ନିରନ୍ତେ ।
ଥାଉ
କଳା ଧଳା ନୀଳ
ସବୁଜ ଧୂମାଳ
ପୀତ କି ଲୋହିତ
ଆନ ରଙ୍ଗ ଯେ ସକଳ
ଧରି ରଖି ମୋ ବକ୍ଷରେ ହେଇଛି
ଇନ୍ଦ୍ରଧନୁ ମୁଁ
ବର୍ଣ୍ଣ ସବୁ ସତେ ମୋ ଠାରେ ଚଞ୍ଚଳ ।
ସ୍ନିଗ୍ଧ ହାସ୍ୟେ ସେ ସଧୀରେ ଭାସିଲା
ଜୀବନ ନିଜକୁ ନିଜେ ଚିହ୍ନେଇଲା
ହସ କାନ୍ଦ ପ୍ରେମ ଘୃଣା ଅଛି ଏଠି
ଭଲ ମନ୍ଦ ଗୁଣ ରଖିଛି ଏକାଠି
ଥିଲେ ଥାଉ ପଛେ ରୂପ ରଙ୍ଗ ବର୍ଣ୍ଣ
ଜୀବନ ନ ଥିଲେ ସବୁ କିଛି ଶୂନ୍ୟ
ତେଣୁ ମୁଁ ବର୍ଣ୍ଣାଳୀ ଜୀବ ଦେହେ ବ୍ରହ୍ମ
ହୃଦେ ଶାନ୍ତି ଭରି ସର୍ବେ କର କର୍ମ ।