ମଉଷୁମୀ ଆସ ମେଘ ସବାରୀରେ
ମଉଷୁମୀ ଆସ ମେଘ ସବାରୀରେ
ଭାଦ୍ରବ ମାସର ଭୋଦେଇ ଖରାରେ ସିଝି
ଲୁହ ଆସେ ଦେଖି ଆକାଶେ ମେଘର ଛବି
ଉଜୁଡା କ୍ଷେତର ଦେଖି ଫଟା ମାଟି ରୂପ
କୃଷକ ହୃଦୟ ତଳ କରୁଣ ବିଳାପ ।।
(୨)
ଆଷାଢେ ଛୁଇଁଲା ମଉଷୁମୀ ଆସି ଧରା
ଧାରା-ଶ୍ରାବଣରେ ଧରିତ୍ରୀ ଆକାଶେ ଖରା
ଭୋଦୁଅରେ ଆସି ମେଘ ଉହାଡରେ ପୁଣି
ଭଙ୍ଗା ହୃଦୟ ରେ ରଚେ ଆଶା ବୈତରଣୀ ।।
(୩))
ସେପାଇଁ ଆଶାର ସ୍ଵପ୍ନ ଦେଖଇ କୃଷକ
ଚାପିଦେଇ କୋହ ଯେତେ ବୁକୁ ଭରା ଦୁଃଖ
ନିର୍ମମ ଖରାରେ ଆକାଶେ ନିରେଖି ଦେଖେ
ଭୋଦୁଅ ବେଳାର ଭାସମାନ ବଳାହକେ ।।
(୪)
ବିଶ୍ଵାସ ରଖି ଗୋ ମଉଷୁମୀ ମେଘ ଛୁଇଁ
ରସ ସିକ୍ତ କର ଆସି ତା ଉଜୁଡା ଭୂଇଁ
ତୁମ ଭରଷାରେ ଚାତକ ସମାନ ଚାହିଁ
ବସିଛି କୃଷକ ଦୁଃଖେ ମୁଣ୍ଡେ ହାତ ଦେଇ ।।
(୫)
ଆସ ମଉଷୁମୀ ମେଘ ସବାରୀରେ କ୍ଳେଶ
ଦୂରେଇ କୃଷକ ମୁହେଁ ଭରିଦେଇ ହସ ।।