ଇଏ କି ସଂଯୋଗ
ଇଏ କି ସଂଯୋଗ
ଇଏ କି ସଂଯୋଗ
ଆଶଙ୍କାର ଆସକ୍ତି ମୋର ବଦଳିଗଲା ଆଶାର ଲହରୀରେ
ମୋହ ସବୁ ପାଲଟିଗଲା ମହାନତା ।
ଅଶ୍ରୁବିନ୍ଦୁକୁ ମୁଁ ଆଜି ମୁକ୍ତା ତୁଲ୍ୟ ସାଇତୁଛି
ତୁମ ପାଦ ଧୌତ କରିବା ସକାଶେ,
ହାର୍ ମାନିଲେ ମୋର ସବୁ ଅନୁଭବ ଓ ଅନୁଭୂତି
ସେଇ ନିଷ୍କଳଙ୍କ ଚରିତ୍ରର ପ୍ରକାଶରେ,
ସତେକି ପ୍ରଭାକରଙ୍କ କିରଣରେ ପ୍ରତିଭାତ ହେଲା ପ୍ରକୃତି ।
ଅନ୍ତର୍ମନ ସ୍ପର୍ଶୀ ସେ ସ୍ୱର,
ଉତ୍ତୋଳନ କଲା ମୋର ସୃଜନଶୀଳତାକୁ,
ସ୍ବପ୍ନ ସବୁ ପରିବର୍ତ୍ତିତ ହେଲେ ଆହ୍ୱାନ ଓ ଲକ୍ଷ୍ୟରେ ।
ହୃଦୟର ସୌନ୍ଦର୍ଯ୍ୟ ସତେକି ହୋଇଉଠିଲା ଉଜ୍ଜୀବିତ
ଏ ତ ଅମ୍ଳଜାନର ଆଭାସଟିଏ ପ୍ରାଣବାୟୁଶୂନ୍ୟ ମହାକାଶରେ
ମୋ ଅଜାଣତରେ ଗଢି ହୋଇଗଲା ଅମ୍ଳାନ କୀର୍ତ୍ତିର ସ୍ତମ୍ଭ
ଅତ୍ୟୁଚ୍ଚ ସେ ନଭଶ୍ଚୁମ୍ବୀ କୀର୍ତ୍ତିମାନ
ଯାହା ମୋର ହୃଦୟ ପ୍ରଦେଶରେ ଦଣ୍ଡାୟମାନ ।
ଭାସ୍କରଙ୍କ ଭାସ୍କର୍ଯ୍ୟ ଦ୍ୱାରା ସୁମନରେ ମାଧୁର୍ଯ୍ୟ ଭରିଲା ପରି
ରଙ୍ଗାୟିତ ଏ ବେରଙ୍ଗ ଅମ୍ବର ।
ପ୍ରତି ପ୍ରାଣ ପରିଧିରେ ଈଶ୍ୱରଙ୍କୁ ଅନ୍ୱେଷଣ କରୁଥିବା ଏ ନେତ୍ରଦ୍ୱୟ ଆଜି
ଈଶ୍ୱରଙ୍କ ଭିତରେ ସେ ଚେହେରାର ସନ୍ଧାନ ପାଇଛନ୍ତି,
ଅନ୍ତରର ନିଭୃତ ପ୍ରଦେଶରେ ପ୍ରବେଶ କରିଥିଲେ ମଧ୍ୟ
ପ୍ରତି ପଦକ୍ଷେପରେ ଭୟ,
ପ୍ରସ୍ଥାନର ଇଚ୍ଛା ଆସିଯିବ ନାହିଁ ତ ।
ନା ନା, ଥାଉ ସେ ବୃଥା କଳ୍ପନା.......
ସକାରାତ୍ମକତାରେ ଭରିଯାଉ ପ୍ରତିଟି ମୁହୂର୍ମୁହୁ ମୁହୂର୍ତ୍ତ
ସାଫଲ୍ୟର ଆସ୍ଵାଦନରେ ସବୁ ସମୟ ହେଉ ସମୃଦ୍ଧ ।
