ମୋ ସାଙ୍ଗ
ମୋ ସାଙ୍ଗ
ଗୋଟିଏ ନୁହେଁ କି ଦୁଇଟି ନୁହେଁ
ଅଗଣିତ ସାଙ୍ଗ ଅଛନ୍ତି ମୋର,
ସବୁ ସମୟରେ ସାଥେ ରହିଥାନ୍ତି
ହୋଇ ନିଜ ଠାରୁ ଅତି ନିଜର ।
ମୋ ଆଖିରୁ ଲୁହ ଝରିବା ଆଗରୁ
ଓଠରେ ଫୁଟାଇ ଦିଅନ୍ତି ହସ,
ଯେବେ ଯେବେ ମନ ନିରିବଳ ହୁଏ
ଭରିଦେଉଥାନ୍ତି ଶକ୍ତି ସାହସ ।
ଭୁଲ୍ ରାସ୍ତାରେ ମୁଁ ପାଦ ବଢ଼େଇଲେ
ହାତ ଧରି ସିଏ ଟାଣି ନିଅନ୍ତି,
ସଠିକ ନିଷ୍ପତ୍ତି ନେବାକୁ ସେମାନେ
ପ୍ରେରଣା ଓ ପ୍ରୋତ୍ସାହନ ଦିଅନ୍ତି ।
ସବୁ ବିପଦରେ ସାହାଯ୍ୟ କରନ୍ତି
କେବେ ମଧ୍ୟ ଦିଅନ୍ତିନି ସେ ଧୋକା,
ଆନ୍ତରିକତାର ହାତ ସେ ବଢ଼ାନ୍ତି
ଯେବେ ଯେବେ ମୋତେ ଲାଗଇ ଏକା ।
ମନ ମୋର ଯେବେ ହୁଅଇ ନିରାଶ
ସେମାନେ କରନ୍ତି ଆଶା ସଞ୍ଚାର,
ଯେବେ ଠୁ ମୁଁ ତାଙ୍କ ସାଥି ହୋଇଗଲି
ସଫଳତା ପାଇଁ ହେଲି ତତ୍ପର ।
ଦିନରେ ସବୁଠୁ ଅଧିକ ସମୟ
ତାଙ୍କରି ସହିତ ବିତାଏ ମୁହିଁ,
ତାଙ୍କ ସହ କେବେ ବିରକ୍ତ ଲାଗେନା
କେତେ ନୂଆ ନୂଆ କଥା ଶିଖଇ ।
ନୂତନ ସପନ ଭରିଦେଉଛନ୍ତି
ସ୍ବପ୍ନହୀନ ଦୁଇ ପଲକେ ମୋର,
ସୁଷୁପ୍ତ ଶରୀରେ କରିଦେଉଛନ୍ତି
ନବ ଉର୍ଜ୍ଜା ନବ ସ୍ଫୁର୍ତ୍ତି ସଞ୍ଚାର ।
ନା କେବଳ ମୋର ପରନ୍ତୁ ସେମାନେ
ପ୍ରକୃତ ବନ୍ଧୁ ଯେ ସମସ୍ତଙ୍କର,
ଅଜ୍ଞାନ ଅନ୍ଧାରେ ଜ୍ଞାନର ପ୍ରଦୀପ
ପ୍ରିୟ ବନ୍ଧୁ ପାଠ୍ୟପୁସ୍ତକ ମୋର ।