STORYMIRROR

Priyadarshani Mahapatra

Abstract Inspirational

4  

Priyadarshani Mahapatra

Abstract Inspirational

ହୃଦୟ ଅଳିନ୍ଦର ଦୀପାଳିଟିଏ

ହୃଦୟ ଅଳିନ୍ଦର ଦୀପାଳିଟିଏ

1 min
576

ତମସାଛନ୍ନ ଏ ହୃଦୟ ପ୍ରଦେଶେ

ଅକସ୍ମାତ୍ ଦୀପାଳିଟିଏ ପ୍ରଜ୍ଜ୍ବଳିତ,

ଆସନ୍ନ ଦୁର୍ବିଷହ ଦୁର୍ବିପାକ ସବୁକୁ

ସହ୍ୟ କରିବାରେ ସଂଘର୍ଷରତ ।

ଅସୁମାରୀ ଆକାଂକ୍ଷାର ବହ୍ନି ଶିଖା,

ଦ୍ରୁତ ସମୀରଣର ଆଘାତରେ ସୁଦ୍ଧା

ହୁଏ ନାହିଁ ନିର୍ବାପିତ ।।


ବାରିଦର ଗର୍ଜ୍ଜନ ସଙ୍ଗେ ସୌଦାମିନୀର କ୍ରୀଡା,

କୁହୁଡ଼ିର ଘନ ଆସ୍ତରଣ, ବର୍ଷାର ମୂଷଳ ଧାରାର

ମିଳିତ ଆକ୍ରମଣ.......

ତଥାପି ଏ ଦୀପଶିଖାରେ ଓତଃପ୍ରୋତ

ତନ୍ଦ୍ରାକୁ ଜିଣିବାର ଅହେତୁକ ଆକର୍ଷଣ ।


ସୁଦୀପ୍ତ ଦୀପ୍ତିରେ ସୁରମ୍ୟ ଛନ୍ଦରେ ନୃତ୍ୟରତ,

ସୁନୀଳ, ରକ୍ତିମ ଆଭା ପ୍ରସ୍ଫୁଟିତ

ପୀତବର୍ଣ୍ଣେ ସମୃଦ୍ଧ ସେ ଶିଖା,

ରାଶି ରାଶି ଅବ୍ୟକ୍ତ ଆକାଂକ୍ଷାରୂପୀ ଇନ୍ଧନରେ

ସ୍ୱୟଂକୁ ତିଳ ତିଳ ଦହନ କରି

ଅପରକୁ ଆଲୋକ ବଣ୍ଟନର ଅଭିପ୍ସା ।


ନିସ୍ତେଜ ରଜନୀରେ ତେଜସ୍ୱିନୀ ବର୍ତ୍ତିକାର ଉପସ୍ଥିତି,

ସ୍ବର୍ଗୀୟ ଏ ସ୍ଥିତି

ଅବର୍ଣ୍ଣନୀୟ ପରିସ୍ଥିତି,

ସକଳ ସନ୍ତାପର ପରୀକ୍ଷାରେ ହୋଇ ଉତ୍ତୀର୍ଣ୍ଣ

ସାଫଲ୍ୟର ମାର୍ଗରେ ଅବତୀର୍ଣ୍ଣ,

ମୋ ହୃଦୟରେ ପ୍ରଜ୍ଜ୍ବଳିତ ଦୀପାଳି

ତବ ମାର୍ଗେ ଆଲୋକ ଝଙ୍କୃତ କରି

ଲଭୁ ସାର୍ଥକତାର ଅମର କୀର୍ତ୍ତି ।


Rate this content
Log in

Similar oriya poem from Abstract