ମାଟି
ମାଟି
କୋଟି ନର ନାରୀ ଶ୍ୱାପଦ ପାଳିକା,
ତନୁରେ ଶୋଭିତ କୁସୁମ କଳିକା ।
ଖଣିଜ ସମ୍ପଦ ସମ୍ଭାରେ ପୂରିତା,
ପାଦପ ମାଳିନୀ ପୁଷ୍ପ ସୁଶୋଭିତା ।
ତାହା କୋଳେ ପଡ଼ି କାନ୍ଦିଥିଲି କୁଆଁ,
ଅଳି କରି କେତେ ଧରୁଥିଲି ରାହା ।
ଜନନୀ ପରି ସେ ଅଙ୍କେ ଖେଳାଇଛି,
ବିପଦେ ଆପଦେ ସାହା ମୋ ହୋଇଛି ।
ଶାଗ, ମୁଗ, ବିରି, ପରିବା, ତଣ୍ଡୁଳ,
ତା ବକ୍ଷୁ ସମ୍ଭବ ହୁଅନ୍ତି ସକଳ ।
ଖାଦ୍ୟ ବି ଦେଇଛି ବସ୍ତ୍ର ବି ଦେଇଛି,
ନିଜ ବୁକୁ ଚିରି ଗୃହ ଯୋଗାଇଛି ।
ସଭିଙ୍କ ମୁଖରେ ଦେଉଛି ଆହାର,
ସେବା କରି ସାଜିଛି ନିଃସ୍ଵାର୍ଥପର ।
କେତେ ତରୁଲତା ପଶୁପକ୍ଷୀଗଣ,
ସଭିଙ୍କୁ କରିଛି ଦେହରେ ଧାରଣ ।
ସର୍ବେ କରନ୍ତି ତା ଦେହେ ବିଚରଣ,
ଦିଅନ୍ତି ତାହାକୁ ଅମାପ କଷଣ ।
ନୀରବରେ ସବୁ ଯାଏ ସିଏ ସହି,
ବାଣ୍ଟୁଥାଏ ହସ ଲୁହ ସବୁ ପିଇ ।