ନିଜ କଥା ନିଜେ ବୁଝ
ନିଜ କଥା ନିଜେ ବୁଝ
ସଂସାରରେ କେହି ଉଠାଇବା ପାଇଁ
ଚାହାଁନ୍ତିନି ତୁମ ବୋଝ,
ଉଠ ଭାଇ ଉଠ ତେଜ ହେ ଆଳସ୍ୟ
ନିଜ କଥା ନିଜେ ବୁଝ ।
ଏକା ଚାଲିଯାଅ ଜୀବନ ପଥରେ
ଜଗି ବସନା କାହାକୁ,
କାନ୍ଦିଲେ ତୁ ଏଠି କେହି ମଧ୍ୟ ନାହିଁ
ତୋ ଲୁହ ପୋଛି ଦେବାକୁ ।
ତୋ ଲୁହର ମୂଲ୍ୟ ବୁଝିବେନି କେହି
କାନ୍ଦିବା କି ପ୍ରୟୋଜନ,
ନିଜ ପାଦେ ପାରି ହେବାକୁ ପଡ଼ିବ
ଅମଡ଼ା ବନ କାନନ ।
ଯେ ଯାଏଁ ନିରବେ କରୁଥିବୁ ତୁହି
ସର୍ବଜନଙ୍କର ସେବା,
ସଭିଏଁ କରିବେ ଧନ୍ୟ ଧନ୍ୟ ତୋତେ
ପାଇବୁ କେତେ ବାହାବା ।
ଯଦି କେଉଁ ଦିନ ମୁହଁ ଖୋଲି ତୁହି
ପ୍ରକାଶିବୁ ନିଜ ମତ,
ସଭିଏଁ କ୍ଷଣକେ ରଙ୍ଗ ବଦଳାଇ
ଦେବେ ନିନ୍ଦା ଅପବାଦ ।
କାହାକୁ ଭରସା କରିଦେଇ ଖାଲି
ହାତ ବାନ୍ଧି ବସିଗଲେ,
ନିରାଶା ବ୍ୟତୀତ ଆଉ କୌଣସି
ପଦାର୍ଥ କେବେ ନ ମିଳେ ।
ନକାରାତ୍ମକତା ମଧ୍ୟରେ ଯେ ତୁମେ
ସକାରାତ୍ମକତା ଖୋଜ,
କର୍ମଯୋଗୀ ହୁଅ ସ୍ୱାବଲମ୍ବୀ ହୁଅ
ନିଜ କଥା ନିଜେ ବୁଝ ।
