ତାରା
ତାରା
କୃଷ୍ଣ ନଭେ ସୁଶୋଭିତ ହେ ତାରକାଗଣ,
ହୀରକ ଔଜଲ୍ୟ ସତେ କରିଛ ହରଣ ।
ଦିଶ ଶୁଭ୍ର ପୁଷ୍ପ ସମ,
ଅମ୍ବର ଉଦ୍ୟାନେ ଯେହ୍ନେ ଧବଳ କୁସୁମ ।
ଚନ୍ଦ୍ରମା ଚତୁଃପାର୍ଶ୍ଵରେ ରହିଅଛ ଘେରି,
ମୋତି ମୁକୁତା ସମାନ ତୁମ ଶୋଭା ଶିରୀ ।
ଦିଶ କ୍ଷୁଦ୍ର ବିନ୍ଦୁ ପରି,
କିନ୍ତୁ ବିଶାଳ ଆକାର ରହିଅଛ ଧରି ।
ପବିତ୍ର ଜ୍ୟୋତିରେ ତୁମ ଝଲସେ ନୟନ,
ଅସଂଖ୍ୟ ସଂଖ୍ୟାରେ ପୂର୍ଣ୍ଣ କରିଛ ଗଗନ ।
ଈଶ୍ୱରଙ୍କ ଦିବ୍ୟ ସୃଷ୍ଟି,
ସତେ କି ଆକାଶୁ କରୁଅଛ ପୁଷ୍ପବୃଷ୍ଟି ।
ତୁମ ଶୀତଳ କିରଣ ଉଷ୍ଣତା ହରଇ,
ନାନା ମଣ୍ଡଳ ଗଢ଼ିଛ ସୁଶୋଭିତ ହୋଇ ।
ରଜନୀର ଶାଢ଼ୀ ପରେ,
ତୁମ ରୂପ ହୀରାଖଣ୍ଡ ଭ୍ରମ ସୃଷ୍ଟି କରେ ।
ନଭ ଚାନ୍ଦୁଆରେ ତୁମେ ମୁକୁତାର ଝରା,
ଖସିଲେ ତୁମେ ଗଗନୁ ଇଚ୍ଛା ହୁଏ ପୂରା ।
ତୁମ ରୂପ ଦୀପ୍ତିମୟ,
ତୁମ କାନ୍ତି ଦିଏ ଶାନ୍ତି ଅଟଇ ସ୍ବର୍ଗୀୟ ।