ଅଭିଯୋଗ
ଅଭିଯୋଗ
ଚନ୍ଦ୍ରମା ରାତ୍ରିରେ ଦିଶେ ବୋଲି କେବେ
କରେନାହିଁ ଅଭିଯୋଗ,
କୃଷ୍ଣବର୍ଣ୍ଣ ରାତ୍ରି ପାଇଁ ତାର କେବେ
କମେ ତ ନାହିଁ ସରାଗ ।
ରଜନୀ ଅଟଇ କଳା ବୋଲି ସିନା
ଜହ୍ନ ଲାଗଇ ସୁନ୍ଦର,
ତା ଭିତରେ ପୁଣି ଠେକୁଆର ଚିତ୍ର
କରେ ତାକୁ ମନୋହର ।
ଗୋଲାପ ସମୀପେ ଥାଏ ଏତେ କଣ୍ଟା
ତଥାପି ସେ ହସୁଥାଏ,
ସେଥିପାଇଁ ବୋଧେ ସଭିଙ୍କ ଠାରୁ ସେ
ସେନେହ ଆଦର ପାଏ ।
ତଟିନୀର ଜଳ ଅଟଇ ମଧୁର
ତଥାପି ମିଶେ ସାଗରେ,
ସମୁଦ୍ରର ପାଣି ଲବଣାକ୍ତ ବୋଲି
ଘୃଣା ନଥାଏ ତା ଠାରେ ।
ସୌଦାମିନୀ ଖେଳେ କଳାମେଘ କୋଳେ
ନ ଥାଏ ତାର ଆପତ୍ତି,
ମନ୍ଦିର ମଶାଣି ଯେଉଁଠି ଥିଲେ ବି
ତୁଳସୀ ପାଏ ଆଦୃତି ।
ସଂବାଳୁଆରୁ ତ ପ୍ରଜାପତି ଜନ୍ମେ
ଫୁଲ କରେ ତା ଆଦର,
ପଙ୍କ ଭିତରେ ବି ନଳିନୀ ଫୁଟଇ
ତଥାପି ସେ ମନୋହର ।
କଳଙ୍କର ଦାଗ ହୋଇବ ସୁନ୍ଦର
ଆମେ ଥରେ ମନକଲେ,
ଦୁଃଖ ଭିତରେ ବି ହସ ଚହଟିବ
ଅବିରତ ଚେଷ୍ଟା ଥିଲେ ।
ସବୁ ଶ୍ରେଷ୍ଠ ବସ୍ତୁ ସଭିଙ୍କୁ ଜୀବନେ
କଦାପି ମିଳି ନଥାଏ,
ସେ ହୁଏ ମଣିଷ ପ୍ରାପ୍ତ ବସ୍ତୁ ସବୁ
ଶ୍ରେଷ୍ଠ କରିପାରେ ଯିଏ ।