ଉପହାର ଗୀତିକା
ଉପହାର ଗୀତିକା
ସୁଖ ସଉଭାଗ୍ୟ ପ୍ରୀତି ର ସୋହାଗ
ସ୍ନେହ ବନ୍ଧନରେ ବାନ୍ଧି,
ପଠାଇ ଦେଉଛି ପ୍ରେମ ଉପହାର
ଆଖିରେ ଆଙ୍କି ତୋ ଛବି;
ତୋବାହୁ ବଲ୍ଲରୀ ବନ୍ଧନେ ସୁନ୍ଦରୀ
ଗୋଲାପୀ ଅଧରେ ତୋର,
ଆତୁରେ ୟେ ଓଠ ଛୁଇଁବାକୁ କିଆଁ
ସ୍ଫୁରେ ଆଜି ବାରମ୍ବାର;
ତୁ ସ୍ଵପ୍ନର ରାଜ ଜେମା,
(ତୋ) ଉତ୍ତଳା ମୁକୁଳା ବୁକୁରେ ଆଶ୍ଳେଷେ
ଅଧୀର ଦେବାକୁ ଚୁମା ।।
ଅଷାଢୁଆ ନବ ମେଘ ଆକାଶରେ
ବନେ ମୟୂର ଉତ୍ଫୁଲ୍ଲ,
ତେମନ୍ତେ ତୁ କାହିଁ କେତେ ଦୂରେ ସଖୀ
ତୋ ଚିତ୍ରରେ ମସଗୁଲ;
ନିଦାଘରେ ଦଗ୍ଧ ଉଜୁଡା ପରାଣେ
ବିଶ୍ଵାସର ଆଶାବରୀ,
ରାଗ ସଙ୍ଗୀତରେ ତଲ୍ଲୀନ ସହୀରେ
ପ୍ରେମେ ନେବୁ ସତେ ତୋଳି;
ତୋକୋଳ ଫୁଲ ପାଲିଙ୍କି,
ସତେକି ସଖୀରେ କରିବୁ ପ୍ରମତ୍ତ
ପ୍ରେମ ପ୍ରୀତି ଚିତ୍ର ଆଙ୍କି ।।
କମଳିନୀ ସରେ କାହିଁ କେତେ ଦୂର
ଭାନୁ କର ତାକୁ ଝୁରେ,
ସ୍ପର୍ଶେ ଉତ୍ଫୁଲ୍ଲିତ ପଦ୍ମିନୀ ସମର୍ପେ
ରବି ଉପଭୋଗ କରେ;
ଚାହିଁଛି କହ୍ନେଇ ଆସ ପ୍ରେମଶିଳା
କୁଞ୍ଜ କୁଟୀରରେ ସହୀ,
ମୁକୁଳା ତନୁ ବଲ୍ଲରୀ ସ୍ଵର୍ଣ୍ଣ ପ୍ରଭା
ତଡିତ ଚମକ ଦେଇ;
ରାଧା ରତି ସୁଧା ପାଇଁ,
ବସିଛି ଚାହିଁ ୟେ ବାଁଶୋରୀ ଓ୍ଵାଲା
ଦେ’ରେ ସଖୀ ମିଶାଇ ।।

