ଭୋଦୁଅ ଆକାଶେ ଜହ୍ନ
ଭୋଦୁଅ ଆକାଶେ ଜହ୍ନ
ଭରା ଭାଦ୍ରବ ରେ ଅର୍ଘ୍ୟଥାଳି ଧରି
ଶରତ ଯେବେ ପ୍ରକାଶେ
ନିର୍ମଳ ଆକାଶେ ଭୋଦୁଅ ଚାନ୍ଦଟା
ଖିଲି ଖିଲି ହୋଇ ହସେ ।
ଶୁଭ୍ର କାଶତଣ୍ଡୀ ନଈପଠା ଧାରେ
ଗାଉଥାଏ ଯେବେ ଗୀତ
ଭଦ୍ରଵୀ ଜହ୍ନ ଟା ଭସା ବାଦଲରେ
ଲୁଚକାଳି ଖେଳେ ମିତ ।
ଗଗନ ରେ ଦେଖି ଶଶାଙ୍କ ର କ୍ରୀଡା
ହାସ୍ୟ କୁମୁଦିନୀ ଗଣେ
ଜ୍ୟୋସ୍ନା ସ୍ପର୍ଶ ପାଇ ନୃତ୍ୟ କରୁଥାନ୍ତି
ମୃଦୁମନ୍ଦ ସମୀରଣେ ।
ଶରତ କୁମାରୀ ଜହ୍ନିଫୁଲ ରାଣୀ
ମାଦକତା ମାଳତୀ ରେ
ଅନ୍ଧାର କୁ ଜିଣି ହୃଦ ନିଏ କିଣି
ଚନ୍ଦ୍ରାଲୋକ ପରଶରେ ।
ସମ୍ମୋହନୀ ସେହି ଭୋଦୁଅ ର ଚାନ୍ଦ
ଭସାମେଘ ଜହ୍ନରାତି
ସ୍ୱଚ୍ଛ ଶୋଭାମୟ ବଡ ମନୋହର
ଜ୍ୟୋସ୍ନା ବିଧୌତ ପ୍ରକୃତି ।