ନିର୍ମାଲ୍ୟ କଣିକା
ନିର୍ମାଲ୍ୟ କଣିକା
ମନ ମୋ ବୁଲୁଛି ଗୋପପୁରେ ଧନ,
ଶରୀର ବୁଡିଛି କର୍ମ ଜଞ୍ଜାଳେ
ପାଦ ମୋ ଚାହୁଁଛି ପୁରସ୍ତମ ଯିବ,
ଯମ ଭିଡୁଅଛି ମଶାଣୀ ଆଡେ।
ହାତ ମୋ ଚାଁହୁଛି ସଜେଇବ ତୋତେ,
ତୁଳସୀ ଦୟଣା ସେବତୀ ଫୁଲେ
ଚିତ୍ରଗୁପ୍ତ ପାଞ୍ଜି ଖୋଲି ବସିଲାଣି,
ତପନ ଗଲେଣି ପ୍ରତୀଚୀ କୋଳେ।
ଆଖି ଖୋଜୁଅଛି ମୋହନ ମୂରତି,
ଲାଖି ରହିଯାଉ ହୃଦକାନ୍ଥରେ
ନିୟତି ହସୁଛି ନେପଥ୍ୟରେ ଧନ,
ସେ ସମୟ ନାହିଁ ଆଉ ହାତରେ।
ହଜିବାକୁ ପ୍ରାଣ ଖୋଜୁଛି ଜଗାରେ,
ତୋ ନୀଳ ମୂରତି ଶ୍ୟାମ ଶରୀରେ
ବାନ୍ଧି ହେବାପାଇଁ ତୋ ଭୂଜ ଆଶ୍ଳେଷେ
ନାହିଁ ଭାଗ୍ୟ ଆଉ ଏହି ଜନ୍ମରେ।
ଚନ୍ଦନ କର୍ପୁର ଅଗୁରୁ ସୁବାସ,
ଖୋଜୁଅଛି ନାସା ଆଘ୍ରାଣ ପାଇଁ
ସେହି ମହାଭାଗ୍ୟ ଆଉ କି ଆସିବ,
ଦୁଇ ପାଦ ଅଛି ଆଉ କୋକେଇ।
ତୁଣ୍ଡ ଖୋଜୁଅଛି ଆନନ୍ଦ ବଜାରେ,
ଖାଇବାକୁ ତୋର ଅବଢ଼ା ଭାତ
ନାହିଁ ସେହି ଭାଗ୍ୟ ଏ ଜନ୍ମରେ ଆଉ,
ନିର୍ମାଲ୍ୟ ଦେରେ ଜଗତନାଥ।