STORYMIRROR

Sitansu Jena

Romance Tragedy

4  

Sitansu Jena

Romance Tragedy

ପରୁଡ଼ି ମସିଣା ସାକ୍ଷୀ

ପରୁଡ଼ି ମସିଣା ସାକ୍ଷୀ

1 min
26

ଏବେବି ସାଇତା ମୋ ଦୋଳ ମୁକୁଟ

ପରୁଡ଼ି ମସିଣା ସାକ୍ଷୀ

ବାହା ପାଞ୍ଚି ମୋର ଏବେବି ଝଟକେ

ଯାଏ ଆଖି ଦୁଇ ଲାଖି

ଗଇଁଠାଳେ ଏବେ ବନ୍ଧାହୋଇଅଛି

ଆଉ ଦୁଇବାଜି ରଖି

ଏବେବି ସାଇତା ମୋ ଦୋଳ ମୁକୁଟ

ପରୁଡ଼ି ମସିଣା ସାକ୍ଷୀ ।


ସାତ ଦୀପ ମୋର ଜଳେ ଦିକିଦିକି

ଶିଉଲି ତାଟିଆ ଏଇ 

ଲାଜ୍ଜା ଖଈ କୁଲା ସେମିତି ରହିଛି

ଜଳୁଛି ତୁମର ଜୁଇ

ତାଟ ଲଗ୍ନ ମୁଦି ଖଣ୍ଡୁଆ ପାଟଟା

ଦେହେ ମୋର ଯାକିଯୁକି

ଏବେବି ସାଇତା ମୋ ଦୋଳ ମୁକୁଟ

ପରୁଡ଼ି ମସିଣା ସାକ୍ଷୀ ।


ମଙ୍ଗନ ହାଣ୍ଡି ମୋ ଏବେବି ବସିଛି

ବସିଛି ସାତ କଳସ

ଲବଣ ଚାମର ପଡୁଛି ବେଦିରେ

ଛାଡିଗଲ ମୋର ପାଶ

ପଞ୍ଚୁଗ୍ରାସୀ ଥାଳି ଆରସା କାକରା

ଛାଡିଗଲ ପ୍ରାଣ ପକ୍ଷୀ

ଏବେବି ସାଇତା ମୋ ଦୋଳ ମୁକୁଟ

ପରୁଡ଼ି ମସିଣା ସାକ୍ଷୀ ।


ବନ୍ଦାଣ ଥାଳି ଟା ଅନେଇ ବସିଛି

ସମୁଦୀ ସମ୍ବନ୍ଧ ହେବ

ବାଜେ ସାହାନାଇ ତୁହାଇ ତୁହାଇ

ମଙ୍ଗୁଳା କୁଆଡେ ଯିବ

ଆଉ ଗୋଟେ ବର ମୋ ପାଇଁ ଆସୁଛି

ଧିକ ମୁଁଯେ ନିରିମାଖି

ଏବେବି ସାଇତା ମୋ ଦୋଳ ମୁକୁଟ

ପରୁଡ଼ି ମସିଣା ସାକ୍ଷୀ ।


ଜଳିଯାଉ ମୋର ବେଦୀର ହୋମରେ

ତୁମେ ତ ରହିଲ ନାଇଁ

ଯାର ହାତ ଧରି ଆନ ଘର ଯିବି

ଧିକାର ଶୁଣିବା ପାଇଁ

ନେଇ ଯାଅ ମୋତେ ଦଶ ଦିଗପାଳ

କେତୋଟି ମୁହୂର୍ତ୍ତ ବାକି

ଏବେବି ସାଇତା ମୋ ଦୋଳ ମୁକୁଟ

ପରୁଡ଼ି ମସିଣା ସାକ୍ଷୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance