STORYMIRROR

Aparti Charan Sethi

Tragedy

3  

Aparti Charan Sethi

Tragedy

ନିର୍ବାଚନ କହେ

ନିର୍ବାଚନ କହେ

1 min
140



ନିର୍ବାଚନ ମୁଁ ଯେ ପବିତ୍ର ଶବ୍ଦଟି

  ଗଣତନ୍ତ୍ରର ସ୍ଵରୂପ,

ଯେଉଁ ଗଣତନ୍ତ୍ର ଆପଣଙ୍କ ଦ୍ଵାରା

  ହେଉଅଛି ନିୟନ୍ତ୍ରିତ।


ଆପଣମାନଙ୍କ ସାନ୍ନିଧ୍ୟରେ ମୋର

   ନାମଟି ସାର୍ଥକ ହୁଏ,

ନିର୍ବାଚନ ରୂପେ ଜନ ଅଧିକାର

   ସାବ୍ୟସ୍ତ ଏଠାରେ ହୁଏ।


ଆଜି ନିର୍ବାଚନ କବଳିତ ଜାଣ

  ଅର୍ଥ ସର୍ବସ୍ବକୁ ନେଇ,

ଦେଖ କଳୁଷିତ ହୋଇଯାଉଛିତ

   କିଛି ଲୁଟେରାଙ୍କ ପାଇଁ।


ସେବା ନାଁ ନେଇ ନେବା ଉଦ୍ଦେଶ୍ୟରେ

   ରାଜନୀତି କଳ ଚାଲେ,

ଭଲ ବ୍ୟବସାୟ ବିନା ପରିଶ୍ରମେ

    ପୁଳାପୁଳା ନୋଟ୍ ମିଳେ।


ଯେଉଁ ମାନେ ଆଜି ପ୍ରାର୍ଥୀ ହେଉଛନ୍ତି

   ଭଲକି ପରଖି ନିଅ,

କେତେଜଣ ସେବା କରିବା ଲକ୍ଷ୍ୟରେ

    ଆସିଛନ୍ତି ଏଠି କୁହ ?


ପ୍ରକୃତ ମଣିଷ କରୁନି ସାହସ

    କୁରୁକ୍ଷେତ୍ର ମ‌ଇଦାନେ,

ଦୁର୍ନୀତି ଦୁଷ୍କର୍ମ କୌରବ ମାନଙ୍କ

    ସହ ଲଢ଼ିବାକୁ ରଣେ।


(ଜାତି ନନ୍ଦିଘୋଷ ଚଳିବ କି ଭାଇ

   ସ୍ଵାର୍ଥକୁ ସାରଥୀ କଲେ,

ଟାଣେ କିରେ ଗାଡ଼ି ଦାନାର ତୋବଡ଼ା

   ଘୋଡ଼ା ମୁଖେ ବନ୍ଧା ଥିଲେ? 


p>

ସେ କାହୁଁ କରିବ ଦେଶର ଉନ୍ନତି

  ସ୍ଵାର୍ଥେ ଭରା ଯାର ମନ,

ଶାଗୁଣା ବିଲୁଆ ଚିକିତ୍ସକ ହେଲେ

  ରୋଗୀ କି ପାଇବ ପ୍ରାଣ ?)


ଯାଦୁଆ ବିକିଲେ ଯାଦୁର ମଲମ

   ଦେଶ କି ଆରୋଗ୍ୟ ହେବ,

ନା,ମଦୁଆ ନିଶାର ନିବାରଣ କଲେ

   ଦୁର୍ନୀତି ଦେଶୁଁ ହଟିବ ?


କାହାନ୍ତି ସେ ଧର୍ମରାଜ ଯୁଧିଷ୍ଠିର

    କାହାନ୍ତି ପୁରୁଷୋତ୍ତମ,

କାହାନ୍ତି ବାପୁଜୀ କାହାନ୍ତି ନେତାଜୀ

    କାହାନ୍ତି ମଧୁସୂଦନ ? 


ଆଜି ଗଣତନ୍ତ୍ର ହୋଇଛି ବନ୍ଧନ

    ରାଜତନ୍ତ୍ର ଶୃଙ୍ଖଳରେ,

ସ୍ଵାଭିମାନ ପୁଣି ଘୁଙ୍ଗୁଡ଼ି ମାରୁଛି

    ସମ୍ବିଧାନ ପୁସ୍ତକରେ।


ଅଧିକାର ଆଜି ହେଉଛି ଶୋଷଣ

   ମାଫିଆଙ୍କ ନେତୃତ୍ୱରେ,

ଯେଉଁଥି ପାଇଁକି ଭାରତ ମାତାର

    ଆଖିରୁ ଲୋତକ ଝରେ।


ତେଣୁ ମୁଁ ଆସିଛି ଏ ଅଳି କରୁଛି

   ହେ ପ୍ରିୟ ଭୋଟର ଭାଇ,

ଆକାଶ କ‌ଇଁଆ ଚିଲିକା ମାଛର

   ପ୍ରଲୋଭନେ ପଡ଼ ନାହିଁ।


ନିଜର ସୁରକ୍ଷା ପାଇଁ ଦେଶ ହିତେ

   ପ୍ରକୃତ ନେତାକୁ ବାଛ,

ନଚେତ୍ ବିପଦ ନିଶ୍ଚୟ ଆସିବ

   ଚାହୁଁଥିବ ଆଗପଛ।



Rate this content
Log in

Similar oriya poem from Tragedy