ନୀଡଫେରା ପକ୍ଷୀ
ନୀଡଫେରା ପକ୍ଷୀ
ତାଳ ବରଡାରେ ଦୋହଲା ବସାରେ
କୁନି ଶାବକ ନୟନେ,
ମାତୃ ପ୍ରତିଛବି ଉଂକି ମାରୁଥିଲା
ପ୍ରୀତିଭରା ଉପବନେ ॥
ଜନନୀ ବୁକୁରେ ଶାବକର ଛବି
ହିନ୍ଦୋଳିତ ପ୍ରତିକ୍ଷଣେ,
ନୀଡ ଫେରା ପଥ ଭାବନା ଶପଥ
ଆଂକୁଥିଲା ମନେମନେ ॥
କଳା ବାଦଲର ଅନ୍ଧାରି ମୂଲକେ
ତୋଫାନ ସାଜିଲା ଦାଉ,
ପ୍ରଳୟ କୋଳରେ ପଥ ହୁଡିଗଲା
ମମତାର ମିଠା ମହୁ ॥
ଘୁମୁରି ଘୁମୁରି ଶାବକ କାନ୍ଦଇ
କୋମଳ ନହୁଲି ଓଠେ,
ନିଶା ଗରଜନେ ହରାଇ ମାଆକୁ
ଚଂଚୁକୁ ତିନ୍କାରେ ମାଠେ ॥
ରାତ୍ରୀ ଅବଶେଷେ ଅଂଶୁଂକ ଆଶୀଷେ
ସୁନ୍ଦର ଦିଶିଲା ମହୀ,
ନୀଳ ନୀଳିମାରେ ଉଡିଉଡି ମାଆ
ଶାବକକୁ ଖୋଜୁଥାଇ ॥
ପକ୍ଷହରା ହୋଇ ପ୍ରାଣେ କଷ୍ଟ ପାଇ
ପହଂଚିଲା ନୀଡ ପାଖେ,
ଶାବକକୁ ଦେଇ ମମତା ଚୁମ୍ବନ
ଅଧାର ଦେଲା ତା ମୁଖେ ॥
ସ୍ନେହଁ ମନ୍ଦାକିନୀ ଆଶୀଷ ପାଵନୀ
ଝରୁଥିଲା ନୀଡ ବକ୍ଷୁ,
ସୃଷ୍ଟି କରତାଂକ ବିଚିତ୍ର ପରିଧି
ପ୍ରକୃତିର ହେଲା ଚକ୍ଷୁ ॥