ମାଗୁଣି
ମାଗୁଣି
କରୁନାହିଁ ଅଳି କରୁନି ବି କଳି
ମାଗୁଛି ଅଞ୍ଜଳି ପାତି
ତୁମରି ସୃଷ୍ଟିରେ ତୁମ ବଡ ପଣେ
ସଭିଏଁ ପାଆନ୍ତୁ ଶାନ୍ତି
ପ୍ରାରବ୍ଧ କର୍ମ କ୍ଷମା କରିବାର କ୍ଷମତା
ଜଗତ ବନ୍ଧୁ ଜାଣନ୍ତି
ଜଣେ ଖୁସି ଜଣେ ଦୁଃଖୀ କାହିଁକି
ସମ୍ୟକ୍ ସାମ୍ୟ ନଦିଅନ୍ତି
ସମୁଦ୍ର ଗର୍ଭରେ ସାଇତି ରଖିଛି ପ୍ରଭୁ
କେତେ ଯେ ମାଣିକ ମୋତି
ଧରା ପୃଷ୍ଠରେ ଖେଳାଇ ଦେଇଛ ଯାହା
ମଣିଷକୁ ଦିଅ ଶକ୍ତି
ବୁଦ୍ଧି ଜ୍ଞାନୀ ନୈତିକତା ସାଧୁତା ବଳରେ
ପାଉ ବଞ୍ଚିବା ପ୍ରେରଣା ପ୍ରୀତି
ତୁମେ ମହାବାହୁ କେମିତି ସହୁଛ ଦେଖି
ସର୍ବହରାଙ୍କ ଦୁର୍ଗତି
ମଣିଷ କାଟୁଛି ନିଜ ବେକ ନିଜ ହାତେ
ଶୁଣିଛି ଏମିତି ଭୋଗୁଛି ଦୁର୍ଗତି ନିତି
ତୁମେ ଚାହିଁଲେ କରୁଣା ଭରିଲେ ବିଶ୍ୱରେ
ହୁଅନ୍ତା କି କେବେ ଏମିତି
ପୁର୍ବଜନ୍ମ କର୍ମଫଳ କହି ପ୍ରଭୁ ଦିଅନା
ନିନ୍ଦା ଏମିତି
ନିଜ ପାଇଁ ଆଜି ମାଗୁନାହିଁ ମଣିମା
ଶୁଣ ବାରେ ମୋ ମିନତି
ପ୍ରଭୁପଣେ ତୁମ ବଡପଣ ରଖି ଦୁନିଆଁରେ
ଦେଖାଅ ସାମର୍ଥ୍ୟ ଶକ୍ତି
ପ୍ରତିଟି ଶିଶୁର ହସରେ ମଣିମା ଶୁଣିମା
ହସୁ ଏ ଧରା ନିତି
ମଣିଷକୁ ଦିଅ ଏତେ ସଦବୁଦ୍ଧି ଜ୍ଞାନ ଗରିମା
ନକରୁ କେବେ ଅନୀତି
ମଣିମା ମଣିମା ଗୁହାରି ଶୁଣିମା ଡାକ ଶୁଭେ
ଅଶ୍ରୁ ଝରାଇ ପୋଛେ ପଣତେ ନିତି।