ନବଗୁଞ୍ଜର
ନବଗୁଞ୍ଜର
ବନ୍ଦ ବାତାୟନ ଘରେ ନିବୁଜ ବି ଦ୍ୱାର
ଚଉଦିଗ ଡହ ଡହ ଜଳୁଅଛି ସ୍ୱାର୍ଥର ଅନଳ
ବିନାଶ କାଳରେ ବିଷର ଗଡ଼ିଆ ତୁଲ୍ୟ
ଏ ସଂସାର ପୂତିଗନ୍ଧମୟ ।
ବନ୍ଦ ସବୁ ସ୍ରୋତର ପ୍ରବାହ
ଉଜାଣି ବହିବ କାହୁଁ ଜୀବନ ନଈଟା
ରହିଛି କାହିଁ ବା ବୃକ୍ଷ
ଓଲଟି ପରଶି ଦେବ ସ୍ୱଚ୍ଛ ମାନବତା ?
ନିଷ୍ଠୁର ଭାଗ୍ୟବିଧାତା ବେଦଶାସ୍ତ୍ର କ୍ରିୟାହୀନ
ନୀରବ ଈଶ୍ୱର
ଜୀବନ ଅଣନିଃଶ୍ବାସୀ, ବ୍ୟବସ୍ଥାର ଚଲାପଥ
କଣ୍ଟକିତ ଅତୀବ ପିଚ୍ଛିଳ
ପରବାସେ ପରଦେଶେ ପାଣ୍ଡୁରିତ ଏ ଜୀବନ
ବିବର୍ଣ୍ଣ ବିଦୀର୍ଣ୍ଣ ଅଟେ ବିଶ୍ୱର ଭୂଗୋଳ ।
କାହିଁ ଏଠି ସ୍ନେହ ପ୍ରେମ
କାହିଁ ଶାନ୍ତି ସୁନ୍ଦର ପ୍ରକୃତି
ଅଭିଶପ୍ତ ଗନ୍ଧର୍ବ ଅବା ଅପ୍ସରୀଟି
ମନ ପକ୍ଷୀ ବାହୁନି କାନ୍ଦୁଛି
କେଉଁ ଗୁଣ ରୂପ ଦେଖି
ଲାଖିଯିବ ଏଠି ତାର ଆଖି ?
ମଧୁବନ କୁଞ୍ଜବନ ମରୁ ମରୀଚିକା
ଏଠି ଫୁଲ ନାମେ ମିଛ ମାୟା ଭ୍ରମ
ସ୍ୱପ୍ନ ସବୁ ବରଫ ଶୀତଳ
ବିଷ ଜର୍ଜରିତ କଟୁ ପରାଗ ମଧୁର ।
ଆଗରେ ଜଳନ୍ତା ନିଆଁ
ପଛେ ଛନ୍ଦ ବ୍ୟାଧପତା ଜାଲ
ମାଟିତଳୁ ଶୁଖିଯାଏ ପାଣି
ମାଟି ପାଣି ପବନ ଦୂଷଣ ,
ଘୋର ଅନ୍ଧକାର ବେଳ
ପ୍ରକୃତି ର ଦୁର୍ବିସହ ଏ ବିନାଶ କାଳ
ଉନ୍ମେଷ ଜୀବନ ସୂତ୍ର ହେ ନବଗୁଞ୍ଜର
ପ୍ରକଟ ଏ ସନ୍ଧିକାଳେ ସୃଷ୍ଟିକୁ ଉଦ୍ଧର ।