ନଦୀ
ନଦୀ
କୁଳୁକୁଳୁ ନାଦେ ବହିଯାଅ ଧୀରେ
ମାଟିର ଛାତିକୁ ଚିରି
ପାହାଡ଼ ଦେଶରୁ ଝରି ଆସୁଥାଅ
ଆଗୋ ପାହାଡ଼ି ସୁନ୍ଦରୀ ।
ଅତି ମନୋରମ ତୁମ ଦୁଈକୂଳ
ସବୁଜ ସୁନ୍ଦର ଭରା
ତୁମ ସ୍ପର୍ଶ ପାଇ କୃଷକ ଆନନ୍ଦେ
ହରାଭରା କରେ ଧରା ।
ଗଜପରି ତୁମ ଅଙ୍କାବଙ୍କା ଚାଲି
ଚୋରାଏ ସଭିଙ୍କ ମନ
କେତେ କେତେ ସ୍ଥାନେ ଘଞ୍ଚ ଜଙ୍ଗଲ ତ
କେତେ ଦର୍ଶନୀୟ ସ୍ଥାନ ।
କେବେ ଜନନୀ ରୂପେ ବହୁ ଜୀବକୁ
ଦେଇଥାଅ ବାସସ୍ଥାନ
ଆଉ କେବେ କ୍ରୋଧେ ଚୁରମାର କର
ଗରିବ ଆଖିର ସ୍ୱପ୍ନ ।
ତୁମ ଚତୁଃପାର୍ଶ୍ବେ ଗଢ଼ି ଉଠିଥାଏ
କେତେଯେ ଗାଆଁ ସହର
ପର୍ଯ୍ୟଟନସ୍ଥଳୀ ଅବବାହିକା ଯେ
ବଢାଏ ମାନ ଦେଶର ।
