STORYMIRROR

Lopamudra Parida

Action

4  

Lopamudra Parida

Action

ନାୟିକା

ନାୟିକା

1 min
392

ମୁଁ "ନାୟିକା" ;

କିମ୍ ଆଶ୍ଚର୍ଯ୍ୟମ୍ !

ମୁଁ ସହିପାରେ .... କହିପାରେନି

ଯେ ଚାରିଯୁଗରୁ ଠିଆ ହେଇ ହେଇ

ପାଦ ତଳୁ ତଳୁ ପଥର ହେଲିଣି ।

ହସିପାରେ ..... କଣ୍ଟା ବଣରେ

ଧାର ଧାର ଲହୁ ରଙ୍ଗ ଲୁହ ଉପରେ,

ତଥାପି ବେଲୁନ, ପ୍ରଜାପତି ଦେଖି

ଫୁଲ ପରି ଫୁଟିପାରେ ଓଠକୋଣେ ମୁଁ

ବଞ୍ଚିଥାଏ ମୋ ଭିତରର ଶିଶୁପଣର ଝୁମ୍ ଝୁମା

ଦଉଡି ବନ୍ଧା ଗୁରିଆତୁଡିଆ

ବସ୍ତାଏ ଇଚ୍ଛାର ସମାଧି ତଳେ ।

ନାୟିକା ହବାକୁ ହବ କଣ ଏତିକି ?

ନା ପଡୁଛି ଊଣା?

ହଉ ତେବେ ଆହୁରି କହୁଛି ଶୁଣ.......

ମୁଁ ଛଟପଟ ହୁଏ ବିନା ଶବ୍ଦ ରେ....

ପ୍ରସ୍ତର ସୁଉଚ୍ଚ ପ୍ରାଚୀର ହୋଇ

ପଣତ ଲମ୍ବିଥାଏ ଦରିଆ ଉଛୁଳେଇ

ଉଜ୍ବଳ କରେ ଏ ଘର, ସେ ଘର

ଦୀପ ତଳ ତ ଚିରକାଳ

ଛାଇ ଛାଇଆ ଅନ୍ଧାର ।

ମୁଁ ଢାଲ ପରି ଗଢାହେଇ ଦାଣ୍ଡରେ ଉଭା

ମୋ ମନ ସାରା ଚାଲୁଣି ....

ଥାଉ ଲୁଚାହେଇ, କିଛି ତ ନିଜର ହେଇ ।

ତମ ଖୁସି ରେ ମୁଁ ଖୁସି ....

ତମ ଲୁହରେ ମୁଁ ବଜ୍ର, ସାହାସ, ଦମ୍ଭ

ମୋର ପୁଣି ଦୁଃଖ ଗୋଟେ କଣ ଥାଇପାରେ?

ଦେଖିନ ନା କେବେ ?

କେମିତି ଦେଖନ୍ତ ...... ମୁଁ ତ ପୋଖତ ମିଛେଇ

ଫୋଟକା ଲୁଚେଇ

ସବୁଥର " ଆଃ "ବଦଳରେ କହେ

"ହେଃ ! ସିଏ କିଛି ନୁହେଁ ମ । ତମେ ଚାଲ ।"

ମୋ ପିଠି ସାରା ପାଦ ଚିହ୍ନ

ସାନ, ବଡ ପ୍ରକାର ପ୍ରକାର

ମୁଁ ପାଲଟୁଥାଏ

"ନାୟିକା ଶାଳଗ୍ରାମ ।"



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action