ନାରୀ
ନାରୀ
ସୃଷ୍ଟି ଆରମ୍ଭ ନାରୀ,
ଆଦିମାତା ସବୁରି,
ନାରୀବିନା ଜଗତଟା ଅନ୍ଧାର ପୁରୀ ।
ଯେତେ ରାଣୀ ମହାରାଣୀ,
ଦେବୀ ଠାକୁରାଣୀ,
ସବୁଗୋଟେ ନାରୀ ରୂପ ଭୁଲିଯାଅନି ।
ମାର୍ଗଶିର ମାଣବସା,
ନବରାତ୍ରି ଦଶହରା,
ଯେତେ ଦେବୀପୂଜା ସବୁଠି ନାରୀପରା ।
ନାରୀ ସୌନ୍ଦର୍ଯ୍ୟମନା,
ନାରୀ ସୁନ୍ଦରୀ ସିନା,
ପୁରୁଷକି ତିଷ୍ଠିପାରେ ଏ ନାରୀ ବିନା ।
ନାରୀ ପାଇଁ ସଂସାର,
ନାରୀ ସୃଷ୍ଟି ଆଧାର,
ନାରୀ ପାଇଁ ପିତା, ପତିପଣ ପୁରୁଷର ।
ନାରୀ ହେଲେ ଜନନୀ,
ତୁମେ ହେବ ସନ୍ତାନ,
ନାରୀ ହେଲେ ଭଗିନୀ, ତୁମେ ଭାଇର ମାନ ।
ନାରୀ ହେଲେ ପତିନୀ,
ଦେଖାଅ ପତିପଣ,
ନାରୀ ଯୋଗୁଁ ଚଳଇ ଏ ସଂସାର ଧାମ ।
ତାକୁ ଦେଇ ଯାତନା,
ମହତ ସାର ସିନା,
ଦେଖାଉଛ ମନୁଷ୍ୟତ୍ୱ ମାରି 'ବେବିନା' ।
ଥିଲା କାହା ଭଉଣୀ,
ସାଜିଥାନ୍ତା ଘରଣୀ,
ରାଣୀଲୋଭ ଦେଖାଇ ମାରି 'ସ୍ମିତାରାଣୀ' ।
ସେ ଥିଲା ଟିକି 'ପରୀ' ,
ସତେ କୁସୁମ କଳି,
ତାକୁ ମଧ୍ୟ ଛାଡ଼ିଲାନି, ନର ସଂହାରି ।
ଜୀବନଟା ଅମୂଲ୍ୟ,
ସୁନ୍ଦର ସାଜିଲା କାଳ,
ବିଶ୍ୱାସେ ବିଷ ଭରି ଝାଡ଼ିଲ 'ଝରାଫୁଲ' ।
ନାରୀ ସ୍ନେହ ରଂକୁଣି,
'ମମତା' ପ୍ରିୟ ରମଣୀ,
ତାକୁ ମଧ୍ୟ ଛଳ ଦ୍ୱାରା ପୋତିଲ ହାଣି ।
ହେ ମୋର ନାରୀ ଜାତି,
କେବେ ଉଠିବ ତାତି,
ଦେଖାଅ ତୁମ ଶକ୍ତି, ନ ସାଜ 'ଇତିଶ୍ରୀ' ।
ସଭିଏଁ ସାଜିଲେ ମୂକ,
ରାଜ କରୁଥିବ କାମୁକ,
ନାରୀ ଜାତି ନୁହେଁ ସହିବାକୁ ସବୁ ଦୁଃଖ ।
ଦେଖାଅ ତୁମେ ହିଁ ଶକ୍ତି,
ମା ଲକ୍ଷ୍ମୀ, ସରସ୍ବତୀ,
ତୁମେହିଁ ଜଗତ ଧାତ୍ରୀ ମାତା ଧରିତ୍ରୀ ।
ରଖି ନିଜ ମହତ,
ସୁକର୍ମ, ସୁଗୁଣ, ଶକ୍ତ,
ଦୁର୍ନୀତି ହଟିବ ତୁମେ ହେଲେ ଏକତ୍ର ।