ମୁଠାଏ ମାଟି ଓ ଆକାଶେ ବିଶ୍ଵାସ
ମୁଠାଏ ମାଟି ଓ ଆକାଶେ ବିଶ୍ଵାସ
ମୁଠାଏ ମାଟି ଓ ଆକାଶେ ବିଶ୍ଵାସ
କାନ୍ଧରେ ବାହିଛି ହଳ ଲଙ୍ଗଳ ।
ମାଟିର ମଣିଷ ସେ ମାଟିରେ ଭିଜି
ଟାଙ୍ଗରା ଭୁଇଁକୁ କରେ ଶସ୍ୟଶ୍ୟାମଳ ।।
ଶରୀରରୁ ସ୍ଵେଦ ବୁହାଇ ଅବିରତ
ଉପୁଜାଏ ଶସ୍ୟ କରେ ସୁନାର କ୍ଷେତ ।
ବିହନ ବୁଣେନି ସେ ବୁଣେ ସପନ
ହୁଏ ଅନ୍ନ ଦାତା ଯୋଗାଏ ଅନ୍ନ ।।
ବରଷା ଭରସାରେ କରଇ ଚାଷ
ସେହି ବରଷା ପୁଣି କରେ ସର୍ବନାଶ ।
ବିଶ୍ଵାସ ଭାଙ୍ଗି ଆକାଶ କରେ ଛଳନା
କୃଷକ ଯନ୍ତ୍ରଣାରେ ପାଏ ଯାତନା ।।
ଆକାଶ ଉପରୁ ତୁଟଇ ବିଶ୍ଵାସ
ଯେବେ ଝାଳବୁହା ଶ୍ରମ ହୁଅଇ ଧ୍ଵଂସ ।
ହେ ଆକାଶ ତୁ ନ ଭାଙ୍ଗେ ବିଶ୍ଵାସ
ଯନ୍ତ୍ରଣାରେ ନ ହଜୁ କୃଷକର ହସ ।।
ପ୍ରାକୃତିକ ଦୁର୍ବିପାକ ଉଜାଡେ କ୍ଷେତ
ଭବିଷ୍ୟତ ଚିନ୍ତା ତାକୁ କରେ ବିଚଳିତ ।
ଋଣବୋଝରେ ଅଥୟ ହୁଏ ତା ଚିତ୍ତ
ପରିଶ୍ରମ ତାର ସତେ ହେବ କି ବ୍ୟର୍ଥ !!
ଶସ୍ତା ରାଜନୀତି ଭୋଟ୍ ବ୍ୟାଙ୍କର ତାମସା
ଯୋଜନା ପରେ ଅନେକ ହୁଏ ଯୋଜନା ।
ଲୁଟନ୍ତି ନେତାଏ ଦେଇ ମିଥ୍ୟା ଆଶ୍ୱସନା
କୃଷକ ପରିବାର ପାଏ ଦୁଃଖ ଯାତନା ।।
ସ୍ୱାର୍ଥରେ ହଜିଛି ଭୋକର ଭୂଗୋଳ
ଯୋଜନା ଅନେକ ହେଉଛି ବିଫଳ ।
ଫୁଙ୍ଗୁଳା ଦେହ ତାର ଦିଶେ ଦୁର୍ବଳ
କ୍ଷୁଧାରେ ଜଳୁଛି ମୃତ୍ୟୁର ଅନଳ ।।
କୃଷି ଉନ୍ନୟନର ମଧୁର ପ୍ରତିଶ୍ରୁତି
ଜୟ କିଷାନ ସ୍ଲୋଗାନ କାହା ପାଇଁ !
ଚାଷୀ ଯଦି ଏଠି ଦିଏ ଆତ୍ମହୁତି
ମନେ ସ୍ଵତଃ ପ୍ରଶ୍ନ ଆସେ ଭାଇ !!
ସେଥିପାଇଁ ପ୍ରକୃତରେ କିଏ ଦାୟୀ ?
ପ୍ରକୃତରେ କିଏ ଦାୟୀ ? ?
ମାଟିର ମୋହରେ ଗଢା ସମ୍ପର୍କ
ମେଣ୍ଟାଏ କ୍ଷୁଧାର୍ତ୍ତ ଜନର ଭୋକ ।
ଦେଶ ପ୍ରଗତିର ନୀରବ ସାଧକ
ହସିବ ଧରଣୀ ହସିଲେ କୃଷକ ।।
ହସିବ ଧରଣୀ ହସିଲେ କୃଷକ ।।
