ମୁଁ
ମୁଁ
ବୋଉ "ସମସ୍ତେ କୁହନ୍ତି ସିଏ କାଳେ ଆକାଶରେ ତାରା ଏବେ ,
ହେଲେ କିଏ କେମିତି ଜାଣନ୍ତା ଭଲା ସିଏ ଏବେ ମୋ ଭିତରେ ରୁହେ ।
ମୁଁ ଅବିକଳ ତାରି ପରି ସହିନେଇପାରେ, ବୁଝିପାରେ,
ନିଜର ସବୁଠୁ ପ୍ରିୟ ଖାଇବା ଟିକୁ
ଚାରି ଫାଳ କରି ବାଣ୍ଟିଦେଇପାରେ,
ତେବେ ବି ମୋ ପାଟି ସୁଆଦିଆ ଲାଗୁଥାଏ ମିଠାପଣରେ ।
ହଁ ଅବିକଳ ତା ପରି ଆଙ୍କି ପାରେନି ଝୋଟି,
ଗଢିପାରେନି ପିଠା
ହେଲେ ମନ ନେଇ ଚଳିପାରେ
ଢିଙ୍କିଶାଳରୁ ଯେ
ନଈକୂଳ ଯାଏ ଅବିକଳ ତାରି ପରି,
ସେଇ ଫୁଲଫୁଟା ହସଟା ପିନ୍ଧିନେଇ ପ୍ରତିଟି ସକାଳେ ।
ସିଏ ହି ତ କରେଇ ନିଏ
ମୋ ଭିତରେ ଥାଇ,
କାଟୁଥିବା ପାଦ ତଳୁ ଚଟ୍ କି କଣ୍ଟା କେମିତି କାଢି ହୁଏ ଶିଖେଇ ।
ସିଏ ନ ଥାନ୍ତା ତ ମୁଁ ନଥାନ୍ତି
ମୋ ଯିବା ଦିନ ହସିଦେବି ମୁଁ
ମୋ ଝିଅ ଭିତରେ
ତାକୁ ଓହ୍ଲାଇ ଦେଇ ।