STORYMIRROR

Papu parida

Drama Tragedy Classics

3  

Papu parida

Drama Tragedy Classics

ମୁଁ ଯୌତୁକ ରାକ୍ଷାସ କହୁଛି

ମୁଁ ଯୌତୁକ ରାକ୍ଷାସ କହୁଛି

1 min
226

ଦୁଇ ମନ ଦୁଇ ଆତ୍ମାର ମିଳନ

ଅଟଇ ଯେ ବାହାଘର।

ସମ୍ପର୍କ ଡୋରିରେ ବାନ୍ଧି ହୋଇଥାନ୍ତି

ଭିନ୍ନ ଦୁଇ ପରିବାର।


ବାହାଘର ସଙ୍ଗେ ଉପହାର ରୂପେ

ଜନମ ହୋଇଲି ମୁହିଁ

ଘୃଣ୍ୟ ଚିନ୍ତାଧାରା ସାଥିରେ ବଢିଣ

ରାକ୍ଷସ ଗଲି ମୁଁ ହୋଇ।


ସୁନା ରୁପା ଟଙ୍କା ସାଜିଲା ମୋ ଖାଦ୍ୟ

କେତେ ଖାଇଲେ କି ପେଟ ପୁରୁଛି

ମୁଁ ଯୌତୁକ ରାକ୍ଷସ କହୁଛି।


ଯୋଗ୍ୟତା ଭିତ୍ତିରେ ବଢେ ମୋ ଆକାର

ନିଲାମ ହୁଅଇ ବର

ସରକାରୀ ବାବୁ ଧନୀ ବା ଗରିବ

ପୁଲିସ ହୋଉକି ଚୋର।


ଗୁଣ ଚରିତ୍ର ଯେ ମାଟିରେ ମିଶିବ

ସାଇତି ରଖିଲେ କେହି

ମୋ ସାମ୍ନାରେ ସବୁ ପଡିଯିବ ଫିକା

ସନ୍ତୁଷ୍ଟ ନହେଲେ ମୁହିଁ।


ଟିଭି ଫ୍ରିଜ ପେଢି ଆଲମିରା ଆଦି

ମତେ ଭାରି ରୁଚିକର ଲାଗୁଛି

ମୁଁ ଯୌତୁକ ରାକ୍ଷସ କହୁଛି।


ମୋ ଲାଗି ପରା ବଧୁ ନିର୍ଯାତନା 

କନ୍ୟା ଭ୍ରୁଣ ହତ୍ୟା ହୁଏ

ସହି ସହି କିଛି ଯାଆନ୍ତି ଯେ ମରି

କିଏ ଛାଡପତ୍ର ପାଏ।


ଶାଶୁ ଶଶୁର ଯେ ମୋର ସେନାପତି

ସ୍ୱାମୀ ଜାଗ୍ରତ ପ୍ରହରୀ

ପୁରାନ୍ତି ମୋ ପେଟ ଧନ ଦଉଲତେ

ମାନି ଆଦେଶ ମୋହରି।


କେତେ ଆଇନ ଓ କେତେ କଟକଣା

ମୋ ରାସ୍ତା କି ରୋକି ପାରୁଛି

ମୁଁ ଯୌତୁକ ରାକ୍ଷସ କହୁଛି।


କେହି କହେ ମୋତେ ସମାଜେ କଳଙ୍କ

କେହି କହେ ଅଭିଶାପ

କେତେ ପରିବାର କରିଛି ମୁଁ ନଷ୍ଟ

ସାଜିଣ କାଳସରପ।


ସଜେଇଲା ମତେ ନିର୍ମମ ରାକ୍ଷସ 

ଚିନ୍ତାଧାରା ମନୁଷ୍ୟର

ଉପହାର ଆଜି ସାଜିଲା ଯୌତୁକ

କି ଦୋଷ ରହିଲା ମୋର।


ଅନ୍ତ ନାହିଁ ମୋର ନାହିଁ ଯେ ବିଲୟ

ଯେହ୍ନେ ଲୋଭର ସମୀର ବହୁଛି

ମୁଁ ଯୌତୁକ ରାକ୍ଷସ କହୁଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama