ମୁଁ ସନ୍ତାନର ଆଲୋକ
ମୁଁ ସନ୍ତାନର ଆଲୋକ
ନିରାଟ ସତ୍ୟ
ଯାହା ହୃଦୟ ବିଦାରକ
କେମିତି କହିବି
କିନ୍ତୁ କାହିଁକି , କିଏ ଶୁଣିବ
ଏମାନେ ହିଁ ତ ଦାୟୀ
ମୋର ଏଇ ଯନ୍ତ୍ରଣା ପାଇଁ ....
ପ୍ରତାରଣାର ଶିକାର ହୁଏ ।
ମୋର ସରଳତା ଆଜି ମୋ ଗର୍ଭର ଭାର
କୁମାରୀତ୍ବକୁ ନଷ୍ଟ କରି
କୁତ୍ସିତ କାମ ବାସନା ବୋଳି
ନିମନ୍ତ୍ରିତ କଲା ଏଇ ସୁନ୍ଦର ପୁଷ୍ପକୁ ।
ମୁଁ କିନ୍ତୁ ହାରି ଯାଇନି ......
ଏଇ ମୋର ଅସ୍ତ୍ର
ଭବିଷ୍ୟ ନିଧି......
ଭେଟ ତ ନିଶ୍ଚୟ ହେବ
ପାପିର ବିନାଶ ତ ଏଇଠି ......
ମୁଁ ରାସ୍ତା କଡ଼ରେ ଶୁଆଇ ଦେଇନି,
ନିନ୍ଦା ଅପନିନ୍ଦାକୁ ଚନ୍ଦନ ପରି ଲେପି
ସୃଷ୍ଟି କରିଛି ଜୀବନ କୁସୁମ ।
କାରଣ ମୁଁ ମା'
ମୁଁ ନୁହେଁ ଅନ୍ୟ କେହି ।
ଯାତନା ଲହୁର ସ୍ବାଦ ନିତି ପିଇ ଯାଏ,
ମାଟିକୁ ଛୁଇଁବାକୁ ଦିଏନା ।
ବଡ଼ ଲୋକର ମାର୍ବଲ ଚଟାଣ
ଅପରିଷ୍କାର ହୋଇ ଯିବ....
ତା ପରେ ପାଦ ପଡ଼ି
ମୁଁ ଖସି ଯାଇ ପାରେ ।
ସାବଧାନ ସହିତ ସ୍ଥାନ ପରିତ୍ୟାଗ ଠିକ୍
ସେଇ ଜ୍ୟୋତ୍ସ୍ନା ରାତି
ଯେଉଁ ଦିନ ହଜାର ସ୍ବପ୍ନ ବୋଳି
ଲୁଟି ନେଇ ଥିଲା କାନି ତଳର
ସର୍ବଶ୍ଵ ସମ୍ପତ୍ତି ।
ପ୍ରତିଦାନରେ ପାଇଛି ଅମୂଲ୍ୟ ମୋତି
ତାର ଉଜ୍ଜଳ ଜ୍ୟୋତି ରେ
ଖୋଜି ପାଇଛି ,ନୂଆ କରି
ବଞ୍ଚିବାର ରାହା .......।
