ମୁ ଗୋଟେ ଗଛ କହୁନି ମିଛ
ମୁ ଗୋଟେ ଗଛ କହୁନି ମିଛ
ଗଛଟିଏ ମୁହିଁ ମୋ କାହାଣୀ ଶୁଣ ବେଦନା ଭରା ଜୀବନ
ବିଚାରଧାରା ମୋ ପରୋପକାରାୟ ସ୍ୱର୍ଗାୟ କିନ୍ତୁ ମୋ ମନ ।
ଫଳରୁ ମୋହର ମଂଜି ତହୁଁ ଗଜା ବାହାରେ ଅଂକୁର ମେଲି
ଆଲୋକ ଦେଖିବା ନିଶାରେ ପଥର ପଡିଲେ ଦିଏ ମୁଁ ଠେଲି ।
ଗଜା ବଢି ହୁଏ ଚାରାଟିଏ ଯତ୍ନ କଲେ ବଡହୁଏ ଫୁଲି
ଅଯତ୍ନରେ ମଧ୍ୟ ବଢିଯାଏ ମୁହିଁ ଡାଳ ପତ୍ର ଦିଏ ମେଲି ।
ପତ୍ର ଫଳ ଫୁଲ ଚେର ଛାଲି ମଂଜି ଔଷଧୋପଯୋଗୀ ପରା
ପଶୁପକ୍ଷୀ ଆଶ୍ରା ନିଅନ୍ତି ମୋ ଠାରେ ବସା ବାନ୍ଧି ସସାଗରା।
ମୋଠାରୁ ପାଇବ ଛାଇଟିକେ ପୁଣି ଗରମରୁ ଆଶ୍ୱାସନା
ପଦଚାରୀ ପଥେ ବିଶ୍ରାମ ନିଅନ୍ତି ଛାୟାର ନେଇ ବାହାନା ।
ଅଂଗାରକାମ୍ଳ ମୁଁ ଶୋଷିନେଇ ବଦଳରେ ଦିଏ ଅମ୍ଳଜାନ।
ବରଷା ପାଇଁ ମୁଁ ଭରଷା ଯୋଗାଏ ନିଜେ କରି ବିଷପାନ ।
ବଂଚିଥିବା ଯାଏ ସବୁ ଦେବି ଶେଷେ ଜାଳେଣି କାଠ ହୋଇବି
ଘର ତିଆରି ରେ ମୁଁ ଲାଗିବି ତୁମ ହାତର ସାଥୀ ହୋଇବି ।
ସଂଯୋଗ ପାଇଁକି ସେତୁ ହେବି ମୁହିଁ ଲଢେଇରେ ହେବି ଅସ୍ତ୍ର ।
ମତେ ଯିଏ ଟିକେ ଯତ୍ନ ଦିଏ ମୁଁ ଯୋଗାଏ ତାକୁ ଅନ୍ନ ବସ୍ତ୍ର ।
ଜଂଗଲ ଗଢେ ମୁଁ ପରିବେଶ ବଢେ ସହାବସ୍ଥାନ ଶାନ୍ତିର
ତୁମେତ ମଣିଷ ବଡ ବେଇମାନ ନୀତି ତୁମ ସ୍ୱାର୍ଥପର ।
ଜଂଗଲ କାଟି ପଦାକର ବୋଲି ପ୍ରଦୂଷଣ ଯାଏ ବଢି
ପାହାଡକୁ ଭାଂଗି ଚୁନା କର ତୁମେ ଜାଣିଛ କି କିଛି ଗଢି !
ଯତ୍ନ ମୋର କରି ଶିଖିଲେ ପାଇବ ସୁନ୍ଦର ପରିବେଶ
ମତେ ସଫା କଲେ ନିମନ୍ତ୍ରଣ କରି ଆଣିବଟି ସର୍ବନାଶ।
