ମତ୍ସକନ୍ଯା
ମତ୍ସକନ୍ଯା
ପ୍ରୀତି ଅଭିସାରେ ତୁମେ ଅନୁପମା
ସାଗରିକା ମତ୍ସକନ୍ଯା
ଆସ ଗୋ ଉଲ୍ଲଙ୍ଘି ସମୁଦ୍ରର ବକ୍ଷ
ଉତ୍ତାଳ ତରଙ୍ଗ ବନ୍ଯା ।
ସନ୍ତପ୍ତ ଜୀବନ ତପ୍ତ ମରୁବାଲି
ଶୁଷ୍କ କ୍ଷୀଣ ତରୁଲତା
ତୁମ ଆଗମନେ ଦଗ୍ଧୀଭୂତ ପ୍ରାଣେ
ଭରିଯାଉ ଶୀତଳତା ।
ସୁନ୍ଦର ସବୁଜ ହେଉ ପରିବେଶ
ଗୁଞ୍ଜୁ କୁହୁ ମଧୁ ସ୍ବନ
ଉଛୁଳୁ ଯମୁନା ନଦୀ ସ୍ରୋତସ୍ବିନୀ
ପୁଲକି ଉଠୁ ପରାଣ ।
ସୁଶୀତଳ ତୁମ ମଧୁର ପରଶେ
ଖେଳୁ ଓଠେ ସ୍ମିତହସ
ସାର୍ଥକ ହେଉ ଗୋ ସ୍ବପ୍ନ ମଧୁମୟ
ପୂରୁ ଆଶା ଅଭିଳାଷ ।
ହୁଅ ପ୍ରସ୍ଫୁଟିତ ଶାନ୍ତି ଶତଦଳ
ପଦ୍ମିନୀ ଗୋ ସୂର୍ଯ୍ୟମୁଖୀ
ବିମଳ ପ୍ରଭାତେ କିରଣ ସ୍ବର୍ଣ୍ଣାଭ
ଉନ୍ମେଷ ଗୋ ପ୍ରିୟସଖୀ ।

