ମଗ୍ନ ଉନ୍ମାଦନା
ମଗ୍ନ ଉନ୍ମାଦନା
ଗ୍ରୀଷ୍ମ ସଂଵର୍ଦ୍ଧନା
ହଳଦୀ ଗୁରୁଗୁରୁ ଅଭ୍ୟର୍ଥନା
ନଗ୍ନ ପିଠିର ମଗ୍ନ ଉନ୍ମାଦନା
ବୋଧେ
ସକାଳ ବେଳାରେ ସଦ୍ୟସ୍ନାତା
ସୁକୁମାରୀ କୂଳବଧୂର ପରିକଳ୍ପନା
ଆଉଟା ଖାଣ୍ଟି ଗିନିସୁନା
ସୁନାନାକୀ ସାଧବବୋହୁ ସମ୍ମୋହନା ।
ଆଇନା ଆଗରେ ଆନମନା
ଲଳିତ ଲବଙ୍ଗଲତା ଲଳନା
ଛବିଳ ଛଟକ କଟକ ବରନା
ଅସରନ୍ତି କଳ୍ପନା ଜଳ୍ପନା
ନିଜ ରଙ୍ଗବତୀ ଛବି ଆଙ୍କୁଛି ସାଜୁଛି
ସଜେଇ ହେଉଛି ଆରକ୍ତ ନୟନା
ତରକି ମରକି ଗ୍ରୀବା ଠାଣିକି
କଳାମନ୍ଦିର ପାଟମ୍ବରୀ ପିନ୍ଧିକି
ଘୋଡେଇ ସଜେଇ କୁଞ୍ଚେଇ
ନହୁଲି ସୁନ୍ଦରୀ ଶାକମ୍ବରୀ
ପାଟଣାଢୀ ଅଞ୍ଚଳ ପ୍ରସାରୀ
ବଞ୍ଚି ଦେଉଛି ସୁଷମା ମଞ୍ଜରୀ ଅନାବନା ।
ସଫେଦ ଜହ୍ନ ପରିକା ପରିକଳ୍ପନା
ସ୍ଵାସ୍ଥ୍ୟବତୀ ଅଙ୍ଗ ଲତିକାରୁ
ବାସ୍ନାୟିତ ରଙ୍ଗ ତରଙ୍ଗ ଝରଣା
ବାନ୍ଧି ଜାଣିଲେ ଗଦ୍ଭା ସୁନ୍ଦର ଠାଣୀରେ
ଦେଖଣାହାରୀ ହେବେ କଣା ବାଟବଣା ।
ଗ୍ରାମପଥରୁ ଅଗ୍ନିପଥ ଯାଏ ଅନା
ପତଙ୍ଗ ମାନେ ହେବେ ଆମନ୍ତ୍ରୀତ
ରୂପ ଅନଳରେ ହେବେ ଲୀନ ଲେଲିହାନ
ଦୁଧ ଧଉଳା ଲାବଣ୍ୟର ସୁବର୍ଣ୍ଣ ସୌଧ କୂଳେ
ଚୁପ୍ ଚାପ୍ ଭତୁଥିବ
ଅୟୁତ ନିୟୁତ ବୀରହ ବାନା ।

