STORYMIRROR

Dr Baman Chandra Dixit

Romance

4  

Dr Baman Chandra Dixit

Romance

ଏଇମିତି ଆସ ବୋଲି ତୁମେ

ଏଇମିତି ଆସ ବୋଲି ତୁମେ

1 min
365

ତୁମେ ଏଇମିତି ଆସ ବୋଲି

ବହୁତ ଭଲ ଲାଗ ମୋତେ

ନେସି ଦେଇଯାଅ ଅଙ୍ଗେ ଅଙ୍ଗେ 

ବତୁରା ବତୁରା ଅନୁରାଗ କେତେ

ଭିଜିଯାଏ ଦେହଟା ସାରା ଗୋଟାପଣେ

ଅଚାନକ ଅସରାଏ ଦୁଲୁକା ମେଘର

ଟୁପୁରୁ ଟୁପୁରୁ ଆଲିଙ୍ଗନ ଯେମିତି

କେବେ କେଉଁଆଡ଼ୁ ଆସ

ଜାଣିପାରିବା ଆଗରୁ ଘେରିନିଅ ତୁମେ

ବେଢ଼େଇ ତୁମର ଅସଜଡ଼ା 

ପ୍ରୀତି ପ୍ରାପ୍ତି ଏବଂ ତୃପ୍ତି ଭିଜା ପଣତକୁ,

ଅନୁରଣୀତ କୋଣ ଅନୁକୋଣ

ତୃପ୍ତ ଆଶ୍ୱସ୍ତ ଆମୋଦିତ କରି।


ତୁମେ ବୋଧେ ଏବେ ଆସିବନି

ଭାବୁଭାବୁ ଭାବୁକ ହେଉଥିବା ବେଳେ

ହଠାତ ତୁମେ ଢଳିପଡ଼ 

ଘନ କଳା ବାଦଲ ଟେ ହୋଇ

ଏବଂ ଢାଳିଯାଅ ଢଲଢଳ ଶିହରଣ

ଟପ୍ ଟାପ୍ ତାଳୁ ରୁ ତଳିପା ଯାଏ

କପାଳ ଗାଲ ଓଠ କାନ୍ଧ ଅବା 

ଛାତିରେ ଛାପି ଚଞ୍ଚଳ ଚୁମ୍ବନର 

ବେପଥୁବାହୀ ରୋମାଞ୍ଚ ମେଞ୍ଚା ମେଞ୍ଚା

ମଉସୁମୀ! ତୁମ ଶୀତଳତା ତଳେ

ଉଷ୍ମତାର ଅଳ୍ପ ତତଲା ପ୍ରବାହ

ପ୍ରସରି ଯାଏ ନିଃଶ୍ଵାସରୁ ପ୍ରଶ୍ୱାସ ଦେଇ

ଧମନୀ ର ପ୍ରବାହରୁ ସଂକ୍ରମିତ ହୋଇ

ହୃଦୟର ଧକଧକ କୁହୁକ ଯାଏ।


ମୌସୁମୀ! ତୁମେ ଏଇମିତି ଆସ ବୋଲି

ବହୁତ ଭଲ ଲାଗ ମୋତେ

ଏବଂ ଥରେ ଆସିଗଲା ପରେ 

ଆହୁରି ବି ବିଭୋର କରିଯାଅ ତୁମେ

ତୁମର ଉତ୍ପାତ ସବୁ ଆମୋଦିତ କରନ୍ତି

ଉନ୍ମୁକ୍ତ ଉନ୍ମାଦ ଉତ୍ତପ୍ତ ଉଲ୍ଲାସ

ଉତ୍ପ୍ଲାବିତ ହୋଇ ଯାନ୍ତି

ଏବଂ ନିମଗ୍ନ ହୋଇଯାଏ ମୁଁ

ଆଉ ଝରିଯାଉଥିବା ଓଳି ପାଣିରେ

ଭାସମାନ ପାଣି ଫୋଟକା ଗୁଡିକ

କ୍ଷଣିକ ଉନ୍ମାଦନାରେ ଉନ୍ମତ୍ତ ହୋଇଯାନ୍ତି

ମୌସୁମୀ! ତୁମେ ରହିଯାଅ କହିଯାଅ

ଏବଂ ବହିଯାଅ ନିରାଶାକୁ ଧୋଇଧୋଇ

ଆଶାର ସଂଚାର କରି ପ୍ରତି ପ୍ରାଣେ।


ମୌସୁମୀ! ତୁମେ ଆସି ହସି ରସି

ଜାବୁଡ଼ି ଜଡ଼ିଭୁତ କଲାପରେ

ପୁରାପୁରି ନିଗିଡ଼ି ଯାଉଯାଉ

ହଜେଇ ମଜ୍ଜେଇ ଭିଜେଇ

ଲାଜେଇ ଚାଲିଯାଅ ବୋଲି।

କଥାକୁହା ଫେରା ଚାହାଣି ତୁମର

ପାଶୋରି ପାରେନା ବୋଲି,

ବହୁତ ଭଲଲାଗ ମୋତେ

ତୁମେ ଏଇମିତି ଆସ ବୋଲି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance