ଏଇମିତି ଆସ ବୋଲି ତୁମେ
ଏଇମିତି ଆସ ବୋଲି ତୁମେ
ତୁମେ ଏଇମିତି ଆସ ବୋଲି
ବହୁତ ଭଲ ଲାଗ ମୋତେ
ନେସି ଦେଇଯାଅ ଅଙ୍ଗେ ଅଙ୍ଗେ
ବତୁରା ବତୁରା ଅନୁରାଗ କେତେ
ଭିଜିଯାଏ ଦେହଟା ସାରା ଗୋଟାପଣେ
ଅଚାନକ ଅସରାଏ ଦୁଲୁକା ମେଘର
ଟୁପୁରୁ ଟୁପୁରୁ ଆଲିଙ୍ଗନ ଯେମିତି
କେବେ କେଉଁଆଡ଼ୁ ଆସ
ଜାଣିପାରିବା ଆଗରୁ ଘେରିନିଅ ତୁମେ
ବେଢ଼େଇ ତୁମର ଅସଜଡ଼ା
ପ୍ରୀତି ପ୍ରାପ୍ତି ଏବଂ ତୃପ୍ତି ଭିଜା ପଣତକୁ,
ଅନୁରଣୀତ କୋଣ ଅନୁକୋଣ
ତୃପ୍ତ ଆଶ୍ୱସ୍ତ ଆମୋଦିତ କରି।
ତୁମେ ବୋଧେ ଏବେ ଆସିବନି
ଭାବୁଭାବୁ ଭାବୁକ ହେଉଥିବା ବେଳେ
ହଠାତ ତୁମେ ଢଳିପଡ଼
ଘନ କଳା ବାଦଲ ଟେ ହୋଇ
ଏବଂ ଢାଳିଯାଅ ଢଲଢଳ ଶିହରଣ
ଟପ୍ ଟାପ୍ ତାଳୁ ରୁ ତଳିପା ଯାଏ
କପାଳ ଗାଲ ଓଠ କାନ୍ଧ ଅବା
ଛାତିରେ ଛାପି ଚଞ୍ଚଳ ଚୁମ୍ବନର
ବେପଥୁବାହୀ ରୋମାଞ୍ଚ ମେଞ୍ଚା ମେଞ୍ଚା
ମଉସୁମୀ! ତୁମ ଶୀତଳତା ତଳେ
ଉଷ୍ମତାର ଅଳ୍ପ ତତଲା ପ୍ରବାହ
ପ୍ରସରି ଯାଏ ନିଃଶ୍ଵାସରୁ ପ୍ରଶ୍ୱାସ ଦେଇ
ଧମନୀ ର ପ୍ରବାହରୁ ସଂକ୍ରମିତ ହୋଇ
ହୃଦୟର ଧକଧକ କୁହୁକ ଯାଏ।
ମୌସୁମୀ! ତୁମେ ଏଇମିତି ଆସ ବୋଲି
ବହୁତ ଭଲ ଲାଗ ମୋତେ
ଏବଂ ଥରେ ଆସିଗଲା ପରେ
ଆହୁରି ବି ବିଭୋର କରିଯାଅ ତୁମେ
ତୁମର ଉତ୍ପାତ ସବୁ ଆମୋଦିତ କରନ୍ତି
ଉନ୍ମୁକ୍ତ ଉନ୍ମାଦ ଉତ୍ତପ୍ତ ଉଲ୍ଲାସ
ଉତ୍ପ୍ଲାବିତ ହୋଇ ଯାନ୍ତି
ଏବଂ ନିମଗ୍ନ ହୋଇଯାଏ ମୁଁ
ଆଉ ଝରିଯାଉଥିବା ଓଳି ପାଣିରେ
ଭାସମାନ ପାଣି ଫୋଟକା ଗୁଡିକ
କ୍ଷଣିକ ଉନ୍ମାଦନାରେ ଉନ୍ମତ୍ତ ହୋଇଯାନ୍ତି
ମୌସୁମୀ! ତୁମେ ରହିଯାଅ କହିଯାଅ
ଏବଂ ବହିଯାଅ ନିରାଶାକୁ ଧୋଇଧୋଇ
ଆଶାର ସଂଚାର କରି ପ୍ରତି ପ୍ରାଣେ।
ମୌସୁମୀ! ତୁମେ ଆସି ହସି ରସି
ଜାବୁଡ଼ି ଜଡ଼ିଭୁତ କଲାପରେ
ପୁରାପୁରି ନିଗିଡ଼ି ଯାଉଯାଉ
ହଜେଇ ମଜ୍ଜେଇ ଭିଜେଇ
ଲାଜେଇ ଚାଲିଯାଅ ବୋଲି।
କଥାକୁହା ଫେରା ଚାହାଣି ତୁମର
ପାଶୋରି ପାରେନା ବୋଲି,
ବହୁତ ଭଲଲାଗ ମୋତେ
ତୁମେ ଏଇମିତି ଆସ ବୋଲି ।

