ମରୀଚିକା
ମରୀଚିକା
ଜଳାଶୟ ପ୍ରାୟ ଦୃଶ୍ଯ ହୁଏ ଭ୍ରମ
ଥାଏ ତପ୍ତ ମରୁବାଲି
ତୃଷାର୍ତ୍ତ ପଥିକ ପ୍ରାଣର ଘାତକ
ମାୟା ରଚଇ କୁହେଳୀ ।
ଛଳ ପ୍ରବଞ୍ଚନା ଭିତରେ ଜୀବନ
ଅହରହ ଦହଗଞ୍ଜ
ଆଲୋକ ଆଶାରେ ଝାସ ଦିଏ ପ୍ରାଣ
ଅନଳେ ଯେହ୍ନେ ପତଙ୍ଗ ।
ସପନ ବିଭୋର ଉଚ୍ଚ ଅଭିଳାଷେ
ବିଚରା ଆଶାୟୀ ଜନ
କଳ୍ପେ ପାରାବାର ଗଣ୍ଡୁଷେ ଜଳକୁ
ହୋଇଯାଏ ମତିଭ୍ରମ ।
ଲଭି ଉଚ୍ଚ ଶିକ୍ଷା ମିଳେନି ନିଯୁକ୍ତି
ଅଭାବ କର୍ମ ସଂସ୍ଥାନ
ରହି ମହକିଲ ନ୍ଯାୟ ଅପେକ୍ଷାରେ
ସର୍ବସ୍ବାନ୍ତ ହୀନିମାନ ।
ଛିଣ୍ଡିଯାଏ ପାଦ ଜନତା ଚପଲ
ଦପ୍ତର ଧାଆଁ ଧଉଡେ
ଉତ୍କୋଚ ଲୋଭରେ ବାବୁ ଚପରାଶି
ତାଡେ ନାଲି ଆଖି କାଢେ ।
ଶିକ୍ଷା ସ୍ବାସ୍ଥ୍ୟ ଧର୍ମ ରାଜନୀତି ନାମେ
ଚାଲେ ଭଣ୍ଡ ବ୍ଯବସାୟ
ସାଧାରଣ ଜନ ବୃହତ୍ତର ସ୍ବାର୍ଥେ
ନୁହେଁ ଏଠି କେହି ଦାୟ ।
ଦୁଃଖ ଦୈନ୍ଯେ ସଢି ବଞ୍ଚିବାର ନାମ
ନୁହେଁ ସ୍ବଚ୍ଛନ୍ଦ ଜୀବନ
ମରୀଚିକା ନୁହେଁ ସତ୍ଯ ଜନହିତେ
ସମାଜ ରାଷ୍ଟ୍ର କଲ୍ଯାଣ ।