ମୋତେ ଲାଗେ
ମୋତେ ଲାଗେ
ମୋତେ ଲାଗେ ନିରବରେ
ମହକିବା ଦୋଷ ନୁହେଁ
ମୋତେ ଲାଗେ ମଥାନତ
ଜମା ଦୁର୍ବଳର ଚିହ୍ନ ନୁହେଁ
ମୋତେ ଲାଗେ ସମର୍ପଣ
କେଉଁ ଆଶ୍ରିତର ଭାଷା ନୁହେଁ
ମୋତେ ଲାଗେ
ଓଠରେ ହସ ନାମି ଫୁଲଟିଏ ଫୁଟାଇବା
ଆଦୌ ଏକ କଷ୍ଟ ବ୍ୟାପାର ନୁହେଁ ।
କାହିଁକି ତଥାପି ହଜାରେ ପ୍ରଶ୍ନ
ଜୁଆର ହେଇ ମୋ ଆଖି ଡିଏଁ ?
କାହିଁକି ତଥାପି ପରିଚୟ ପରିଧିରେ
ଉତ୍ତର ନିଜେ ପରାଧୀନ ହୁଏ ?
ଛୁଇଁବା ପୂର୍ବରୁ ଛୁଇଁଯାଏ କେହିଜଣେ
ପବନ, ଗଗନ, ସପନ ରାସ୍ତାରେ
ଚୁମିବା ପୂର୍ବରୁ ଭେଦିଯାଏ କେହିଜଣେ
ଜାଣିଶୁଣି ଢୋକୁଥିବା କୋହରେ ।
ମୋତେ ଲାଗେ
ଅନ୍ଧାରର ଆଲିଙ୍ଗନେ ମୋ ଅମାନିଆ ମନ
ବନ୍ଧା, ଛନ୍ଦା, ସଂପଦା
ମୋତେ ଲାଗେ
ଆଲୁଅର ପ୍ରତାରଣାରେ ମୋ ଆଶା ଓ ବର୍ତ୍ତମାନ
ସମ୍ବାବନା ଅଧା ଅଧା ।