ପ୍ରଶ୍ନ : କ’ଣ କରୁଛୁ ?
ପ୍ରଶ୍ନ : କ’ଣ କରୁଛୁ ?
କ’ଣ କରୁଛୁ ? ପ୍ରଶ୍ନର ଉତ୍ତରରେ
ମୁଁ , ବଜେଇ ସାରିଲାଣି ପଇଁତିରିଶ ପ୍ରକାର ସ୍ଵର
ତମେ’କୁ ଖୋଜି ଖୋଜି ନୟାନ୍ତ
ଆଖି ଯୁଗଳକୁ ଏଣେ ଧରିଲାଣି ନୀଳ ରଙ୍ଗ ଜ୍ଵର
ଛାତି ଉପରେ ଛାତ ଛତାଟିଏ ହେଲାବେଳେ
ଏ ପ୍ରଶ୍ନ କିନ୍ତୁ ପଚାରୁନଥିଲା କେହି
ବୋଧେ ଭାବୁଥିଲା ପଥ ଏକ ଭିନ୍ନ … ଯହିଁ
ଯା’ଆସ କରେ ଅଦୃଶ୍ୟ ରୂପୀ ମହୀ
ବୋଧରୁ ବାଧକ ହଟିଲା ଦିନୁ
ଚାରିଆଡ଼େ କୋଳାହଳ, ଖାଲି ପ୍ରଶ୍ନର ନଅର
ଉଚ୍ଚା ଉଚ୍ଚା ସମ୍ଭାବନା ଯେଉଁଠି
ସନ୍ଦେହର ବେଡ଼ି ଭିତରେ ସନ୍ଦୀହାନ ନାଗର...
କରିବା ଭିତରେ କିନ୍ତୁ
ଅନେକ କିଛି ଅନ୍ତର୍ଭୁକ୍ତ ଥିଲା....
ମନ ଉପବନେ ହସ କଅଁଳେଇବା
ଫୁଙ୍ଗୁଳା ଯୌବନେ ବିଷ ଚଅଁରେଇବା
ଝାଉଁ ଗଛ ଫୁଲରେ ଆଶା ଫୁଟେଇବା
ଆମ୍ବ ବଉଳରେ ସପ୍ନମାନଙ୍କୁ ଲଦିଦେବା
ମଲ୍ଲି ବି ସଞ୍ଜ ହେଉହେଉ ଆବୋରି ଧରେ ମୋତେ
ଜହ୍ନ ତଳେ ଧିରିଧିରି
ତା’ପାଇଁ ରୋମାଣ୍ଟିକ ଗୀତ ଗାଏ
ଜୀବନର ମହକକୁ ପାଖରୁ ଛୁଇଁବା ଭଳି ଥିଲା ସତେ
ବାଲକୋନୀକୁ ଲାଗି ଆଜବେଷ୍ଟସ ତରାଟିକି ଚାହେଁ
ଶାଗୁଆ ରଡ୍ ମଝିରେ ଥାଇ
ତା’ପାଇଁ ସାହସଗୁଡ଼ିକୁ ଥାକାଏ
ମରଣକୁ ଆଖିଠାର ମାରି ଯେମିତି, ଭୟକୁ ମୁଁ ଡିଏଁ
ବୈଶାଖୀ ହରିଣ ହେଇ ନାଚିଲାବେଳେ
ବୋଉର ସଞ୍ଜଦିଆ ଲୁଗା
ଦୋଳି କରି ଅତୀତକୁ ବାଇ ମାରିବା
ଥିଲା, ସେ ଅନେକ କରିବା ଭିତରେ....
ଶ୍ରାବଣୀର କାନି ଧରି ପହଁରିଲାବେଳେ
ବୋଉର ଫୁଲପକା ପଣତ
ସାହା କରି ମନ ଭରି କାନ୍ଦିପାରିବା
ଥିଲା, ସେ ଅନେକ କରିବା ଭିତରେ....
ସେ ଅନେକ କରିବା ଭିତରେ ବି
ଯବକାଚ ଥିଲା,
ଯିଏ ପୋଡୁଥିଲା, ଫଗୁଣର ଇନ୍ଦ୍ରଧନୁ ରଙ୍ଗ
ସେ ଅନେକ କରିବା ଭିତରେ ବି
ଯବନିକା ଥିଲା
ଯିଏ ଲୁଚାଇ ରଖିଥିଲା, ଅନନ୍ତ ବିହଙ୍ଗ
କ’ଣ କରୁଛୁ ? ପ୍ରଶ୍ନର ଉତ୍ତରରେ
ମୁଁ , ବଜେଇ ସାରିଲାଣି ପଇଁତିରିଶ ପ୍ରକାର ସ୍ଵର
ତମେ’କୁ ଖୋଜି ଖୋଜି ନୟାନ୍ତ
ଆଖି ଯୁଗଳକୁ ଏଣେ ଧରିଲାଣି ନୀଳ ରଙ୍ଗ ଜ୍ଵର
ତଥାପି କଉ ପ୍ରଶ୍ନ ସରୁଛି ?
ପ୍ରତିଥର ପବନରେ ପାଟଳ ରଙ୍ଗ ବୋଳି
ଉତ୍ତର ଫେରାଉଛି ମୋ ପ୍ରତ୍ୟେକଟି ଅଙ୍ଗ ।
***************