ଅର୍କକ୍ଷେତ୍ରେ ଜୀବନ୍ତ ପଥର
ଅର୍କକ୍ଷେତ୍ରେ ଜୀବନ୍ତ ପଥର
ନିଥର ଶିଳାପଦ୍ମ ଏବେବି ଅଙ୍ଗୀକାରବଦ୍ଧ
ନିଶବ୍ଦ ନୀଶିଥର ମନ ମହକ ଶବ୍ଦ ଝଙ୍କାର
କମନୀୟ ପାଦ ଯୁଗଳରେ ନୁପୁରର ସ୍ବର ।।
ବିତସ୍ପୃହ ଉନ୍ମତ୍ତ ଗଜ ରାଜ ବି ଅଧିର
ଭୃକୁଞ୍ଚନ ମସ୍ତକ ଦୋହଲାଇ ଅପେକ୍ଷାରତ
କ୍ଷଣେ ନିରେଖି ଯିବ ଶ୍ରବଣେନ୍ଦ୍ରୀୟ ତାର
ହେଉପଛେ କାମ ଲାଳସାରେ ବିପତ୍ନୀକ ବାର ବାର
ମୋହି ନିଏ ତାକୁ କ୍ଷଣପ୍ରଭା ଜୀବନ୍ତ କଣ୍ଢେଇର ଘୁଙ୍ଗୁର।।
ସେ ଝଙ୍କାର ହୋଇପାରେ ଘୁଙ୍ଗୁରର
କିନ୍ତୁ ଆର୍ତ୍ତନାଦ ବ୍ଯଥିତ ବାରଶହ ବଢେଇଙ୍କର
ଶତ ଶତ ନିହାଣ ମୁନରେ ରୂପାୟିତ କରିଛନ୍ତି ଯେ
ନିଶ୍ଚଳ ମୁଗୁନି ପ୍ରସ୍ତରରେ ଅପୂର୍ବ ରୂପ ସମ୍ଭାର ।।
କୋଣେ ଅନୁକ
ୋଣେ ପରିବ୍ଯାପ୍ତ ଅର୍କ ଯାହାର
ସେହି ତ କୋଣାର୍କ ପରିଚୟ ଯୋଜନ ବ୍ଯାପି
ଉତ୍କୃଷ୍ଟ କଳାର ରାଜ୍ଯ ଗୌରବମୟ ଓଡ଼ିଶାର
ଶିଳାରେ ଶିଳାରେ ଅଙ୍କିତ ମାନବତାର ପଟ୍ଟଚିତ୍ର
ପଥର କଣ୍ଢେଇ ହେଲେବି ସେମାନେ ଜୀବନ୍ତ
ତାଙ୍କ ଅକୁହା କଥାରେ ପୁଲକିତ
ସେ ଝାଉଁ ବଣ, ସମୁଦ୍ର ତୀର ।।
ଶିଳା ଦେହେ ଜୀବନ୍ତ କଣ୍ଢେଇ ନିଦର୍ଶନ ପରିପକ୍ବତାର
ନବବିବାହିତା ମନ ବିମୋହିତ ଦେଖି ସେ ନବରସ
ନବଗୁଞରେ ଅଙ୍କିତ ନବଧା କାମାଗ୍ନି ଅଙ୍ଗ ଭଙ୍ଗିର
ଋଷି କାମଦେବ ସୂତ୍ରେ ନିର୍ମିତ କଣ୍ଢେଇ ସ୍ଵୟମ୍ବର
ଅବା ସୁଖମୟ ଦାମ୍ପତ୍ଯ ଜୀବନର
ଜୀବନ୍ତ କଣ୍ଢେଇ ରାଜା ଓ ରାଣୀର।।