ଅଧୁରା ସ୍ବପ୍ନ
ଅଧୁରା ସ୍ବପ୍ନ
ରବିବାର ଛୁଟି ଥିଲା
ଶୁଣୁ ଥିଲି ଗୀତ ,
ଇଚ୍ଛା ହେଲା ବସିବାକୁ
ତୁମ ସହ ମିତ ।
ତୁମ କଥା ସାରା ରାତି
ଭାବିଲି ବହୁତ ,
ଆଖି କୋଣେ ନିଦ ରହି
ଦେଲାଟି ଆଘାତ ।
ଯୌବନ ଜଉଘରେ
ଢାଳେ କିଏ ଘୃତ ,
ଅଜାଣତେ ହୃଦେ ମୋର
ହେଇଗଲା କ୍ଷତ ।
ସୋମବାରେ ଗଲି ଯେବେ
ଶିବ ମନ୍ଦିରକୁ ,
ନଦେଖିଲା ପରି ଚାହିଁ
ଥିଲ ଉପରକୁ ।
ଲାଜେ ଲାଜେ ତରବରେ
ଗଲି ଭିତରକୁ ,
ଝୁଣ୍ଟି ପଡ଼ି ବୁଣି ଦେଲି
ବେଲ ପତରକୁ ।
ଗାଳି ଶୁଣି ମନଦୁଃଖେ
ଫେରିଲି ଘରକୁ ,
ନିଜେ ଦୋଷ କରି କିଆଁ
ଦଣ୍ଡିବି ପରକୁ ।
ମଙ୍ଗଳବାରେ ଭାବିଲି
ଲେଖିବାକୁ ଚିଠି ,
ଖୋଜିଲି ନିରୋଳା ଜାଗା
ନ ମିଳେ କୋଉଠି ।
ନଈ କୂଳ ଗଲି ଭାବି
ଫାଙ୍କା ଥିବ ସେଠି ,
ପଛେ ପଛେ ଧାଇଁ ଗଲେ
ଯେତେ ସହପାଠୀ ।
ମୁହଁକୁ ଆମ୍ବିଳା କରି
ଫେରିଲି ମୋ କୋଠି ,
ଲେଖିଲି ପଢ଼ିଲି ପୁଣି
ଚିରି ଦେଲି ଚିଠି ।
ବୁଧବାର ପଡ଼ି ଥିଲା
ପହିଲି ରଜର ,
ସଜ ହେଇ ବାହାରିଲି
ଯିବି ମୁଁ ବଜାର ।
ଭାବିଲି ପଡ଼ିବ ତୁମ
ଡାହାଣା ନଜର ,
ରାସ୍ତା ଘାଟ ଭିଡ଼ ଥିଲା
ଝିଅ ତ ହଜାର ।
ବାଟ କାଟି ଚାଲି ଗଲା
ଓଲେଇ ମାର୍ଜାର ,
ଫେରି ମୁଁ ଆସିଲି
ବଡ଼
ଲାଗିଲା ବିଜାର ।
ଗୁରୁବାର ଭାବିଲି ମୁଁ
ଯିବିନି କୁଆଡ଼େ ,
ମାଣବସା ବାହାନାରେ
ଯିବି ତୁମ ଆଡ଼େ ।
ଛକି ଛକି ଯାଉ ଥିଲି
ଚାହିଁ ୟାଡ଼େ ସ୍ୟାଡ଼େ ,
କାନି ଚିରି ଗଲା ଲାଗି
ତୁମ କଣ୍ଟା ବାଡ଼େ ।
ଆନମନା ଦେଖି ମୋତେ
ବୋଉ ଭାରି ଚିଡ଼େ ,
କହିବି କେମିତି ଏବେ
ଭାବି ଡର ମାଡ଼େ ।
ଶୁକ୍ରବାର ସଂଜ ବେଳେ
ଦେଖି ଶୁକ୍ର ତାରା ,
ମନ କଥା କହିବାକୁ
ହେଲି ମୁଁ ଅଧିରା ।
ଜହ୍ନ ବି ହଳଦୀ ମାଖି
ଦିଶୁ ଥିଲା ଗୋରା ,
ମୋତେ ଦେଖି ମେଘ ତଳେ
ଲୁଚି ଗଲା ପରା ।
ମୁକ୍ତାକାଶ ତଳେ ଥାଇ
ଭୋଗୁ ଥିଲି କାରା ,
ମନେ ମନେ ଖୋଜୁ ଥିଲି
ତୁମ ପ୍ରୀତି ସୁରା ।
ଶନିବାର ଧରି ଆସେ
ସପନ ପସରା ,
ନିଦ ବି ତ ଖୋଜୁ ଥିଲା
ରାତିର ଆସରା ।
ଆଖି ଖୋଜୁ ଥିଲା ତୁମ
ଆଖିର ଇସାରା ,
ତୁମେ ଆସ ଆସେ ଯେବେ
ପାହାନ୍ତିଆ ତାରା ।
ଦେଖୁ ଦେଖୁ ତମକୁ ମୁଁ
ଫାଟିଲା ସିନ୍ଦୂରା ,
ବୋଉ ଡାକେ ରହି ଗଲା
ସପନ ଅଧୂରା ।
ସଂପର୍କର ନୂଆ ମୁହଁ
ଖୋଜୁ ଖୋଜୁ
ସବୁ ଦିନ ହେଉଛି ସକାଳ ,
ସପନକୁ ସ୍ବପ୍ନ ଭାବି
ପୁଣି ଖୋଜୁଛି
ରତରତ ମୁହଁ ସଂଜ ବେଳ ।