ଜାଗ୍ରତ ହେଲେ ସୁନ୍ଦର ଜୀବନ ଗଢ଼ିବା
ଜାଗ୍ରତ ହେଲେ ସୁନ୍ଦର ଜୀବନ ଗଢ଼ିବା
ଜଳ ସ୍ଥଳ ସଚରାଚର ଭରି ରହିଛି ଏ
ପ୍ରକୃତି ଭିତରେ
ଶସ୍ୟ ସମ୍ପଦ ଭରପୂର ହୋଇ ରହିଛି
ଏ ବସୁନ୍ଧରାରେ ।
ଦିବସ ଯିବ, ରାତି ଆସିବ, ଋତୁଚକ୍ର
ସହିତ ତାଳ ଦେଇ
ମଣିଷର ଜୀବନ ଗାଡି ତା ଭିତରେ
ତ ଚାଲି ଥାଇ ।
ମଣିଷ ହେଉ ପଛେ ଦୁନିଆରେ ଏକ
ବିବେକବାନ୍ ଜୀବ
ଜାଣେନାହିଁ କାଲି ତାହାର ଜୀବନରେ
କଅଣ ହୋଇବ ।
ମଣିଷ ଜୀବନ ପାଣିର ବୁଦ୍ ବୁଦ୍ ପରି
କ୍ଷଣ ଭଙ୍ଗୁର
କଅଣ ଘଟିବ, କିଏ କହି ପାରିବ ଚକ୍ଷୁ
ପଲକ ଭିତର ।
ତେଣୁ ଓଡିଆରେ କଥା ଅଛି, "ବେଙ୍ଗ
କହେ ବେଙ୍ଗୁଲିଲୋ
ପୃଥିବୀ କ୍ଷଣ କ୍ଷଣକୁ ଆନ", ଏହି କଥା
ଜାଣି ଥାଆଲୋ ।
ଜୀବନ ଅତୀତ, ବର୍ତ୍ତମାନ ଓ ଭବିଷ୍ଯତକୁ
ନେଇ ତ ଗଡେ
ଅତୀତ ଇତି ହୁଏ, କିନ୍ତୁ ମଣିଷ ଅତୀତରୁ
ଶିକ୍ଷା ନେଇ ଆଗକୁ ବଢେ ।
ଭବିଷ୍ଯତ ସ୍ବପ୍ନ, ଆମ୍ଭେମାନେ ଜାଣିନା
ତାହା ବିଷୟରେ
ତଥାପି ଆଗାମୀ ବା ଭବିଷ୍ଯତ ପାଇଁ
ଆଶାବାଦୀ, ଚାଲୁ ଥାଏରେ ।
ଆକାଶରେ କଳା ମେଘ କେତେବେଳେ
ଆସିବ କିଏ ଜାଣିଛି
ତଥାପି ମଣିଷ ଆଶାବାଦୀ ଓ କଳ୍ପନା
ବିଳାସୀ ହୋଇ ଚାଲିଛି ।
ଅସୁମାରୀ ଆଶା, ବିଶ୍ବାସ ଓ ଭରସାରେ
ଜୀବନ କଷ୍ଟମୟ
ପରିବାରର ସମସ୍ତେ ମିଳି ମିଶି ରହୁଥିଲେ
ଜୀବନ ଆନନ୍ଦମୟ ।
ଭକ୍ତକବି ମଧୁସୂଦନଙ୍କ ଭାଷାରେ "ବୈକୁଣ୍ଠ
ସମାନ ଆହା ଅଟଇ ସେହି ଘର
ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର", ସତରେ
କି ଉତ୍ତମ ଭାଷାର ସ୍ୱର ।
ଜଗତେ ଚଉରାଶି ଲକ୍ଷ ଜୀବ, ତା ମଧ୍ୟେ
ମଣିଷ ଶ୍ରେଷ୍ଠ
ଅଜ୍ଞାନ ହେଲେ, ବୀର ଶକତି ହୋଇବକି
କୁହ ଉତ୍କୃଷ୍ଟ ।
ଅଧିକାର ହାସଲ କରିବା ପାଇଁ ମନ ତ
ସମସ୍ତଂକର
କର୍ତ୍ତବ୍ଯ ସହ ସୁନ୍ଦର ବୁଝାମଣା କରି ଚଳିଲେ
ସମାଜ ସୁନ୍ଦର ।
ବର୍ଷ, ମାସ, ଦିନ, ଦଣ୍ତ, ସମୟ, କାଳ ଏ
ସବୁ ଦେଇ
କଟିଯାଏ ଦିନ ଯେ ଉପଯୁକ୍ତ କାର୍ଯ୍ୟ କରେ
କର୍ତ୍ତବ୍ୟବୋଧ ଥାଇ ।
ପୁରୁଣା ସମାଜେ ସଂଘବଦ୍ଧରେ ବଞ୍ଚିବାର
ତ ଥିଲା ଭରସା
ଋତୁ ଚକ୍ରର ପରିବର୍ତ୍ତନରେ ହୋଇ ଲୋପ
ହୋଇଛି ସେହି ଭାଷା ।
ଜାଣିଛ, କୃଷି କାର୍ଯ୍ୟେ ଯେପରି କୃଷକ
ବିହନ ବୁଣଇ
ତାହାର ଅନୁରୂପ ଫଳଟା ତାହା ପାଇଁ ,
ସେପରି ଫଳଇ ।
ଟଙ୍କାର ଗୋଲାମୀରେ ମଣିଷ ବନିଛି
ଅମଣିଷ ସ୍ବାର୍ଥପର
ହ୍ରୁଦୟହୀନତା, ହିଂସାଭାବ, ବୈରୀଭାବ
ଦେଖା ଦେଇଛି ମଣିଷର ।
ଦୂଷିତ କରିଛେ, କର୍ମ ଫଳ ଭୋଗୁଛେ, କାହାକୁ
ଦୋଷ ଦେବା
ମନେ ରଖ ଜାଗ୍ରତ ହୋଇଲେ ସୁନ୍ଦର ଜୀବନ
ଯାଇଁ ଗଢ଼ିବା ।
ଆକାଶରେ କଳା ମେଘ ପରି ଦୁଃଖ
ଦୂରେଇ ତ ଯିବ
କାହିଁକି ବଢାଅ ଆବେଗ, ମନେ ହସ ରଖିଲେ
କଷ୍ଟ ଦୂର ହେବ ।
