ନିଜର କର୍ତ୍ତବ୍ୟ ନିଜ ଗୁରୁ
ନିଜର କର୍ତ୍ତବ୍ୟ ନିଜ ଗୁରୁ
ହୁଅନ୍ତି ଯେଉଁ ମଣିଷ ଜ୍ଞାନ ଦ୍ୱାରା
ନିଜେ ଆଲୋକବାନ,
ଆଲୋକିତ କରିଥାନ୍ତି ଅନ୍ୟର
ଅନ୍ଧକାରମୟ ଜୀବନ ।
ସମାଜକୁ ସହାୟତା, ସୁରକ୍ଷା
ପ୍ରଦାନ କରନ୍ତି ମଣିଷଂକୁ
ଆମେ ଆଖ୍ୟା ଦେଉ ଦାର୍ଶନିକ,
ବୈଜ୍ଞାନିକ, ସନ୍ଥ ସେମାନଂକୁ ।
ନିଜ ଜ୍ଞାନ ଦ୍ୱାରା ଅନ୍ୟର ଭୁଲ-
ଭଟକାକୁ ମାର୍ଗ ଦେଖାନ୍ତି
କିଛି ମନୁଷ୍ୟ ତାଙ୍କୁ ହିଁ “ଦେବତା”
ବୋଲି ମନେ କରନ୍ତି ।
ସୃଷ୍ଟିରେ ଯେତେ ଚେତନା ଏହି
ଶକ୍ତିଙ୍କର ଅଟେ ତ ଦାନ
କରିଛନ୍ତି ପ୍ରାପ୍ତ ସମ୍ମାନଜନକ
ସ୍ଥାନ ସେହି ସବୁ ଜନଗଣ ।
କିଛି ପାଇଛନ୍ତି ଜୀବିତ ଅବସ୍ଥାରେ
କିମ୍ବା କିଛି ମୃତ୍ୟୁ ପରେ
ଶୁଦ୍ଧପୂତ କଲେ ଶୁଦ୍ଧ ଭାବନାରେ
ପ୍ରକୃତ ମାନବ ହୁଏ ମର୍ତ୍ତ୍ୟରେ ।
ବାହ୍ୟର ମଇଳାକୁ ସିନା ଧୋଇ
ପାରିବା, ସାବୁନ ଲଗାଇ
ହେଲେ ମନ ମଇଳାକୁ ନୁହେଁ,
ଜାଣ ମୋର ଭଉଣୀ ଭାଇ ।
ପରଶ୍ରୀକାତରତା, ରାଗ, କ୍ରୋଧ,
ହିଂସା ଓ ଅବିଶ୍ୱାସ
ନିଶ୍ଚିତ ଆସେ ଓ ଆସିବ ଜୀବନରେ
କାରଣ ମୁଁ ଏକ ମଣିଷ ।
ମନରେ ଏହି ସବୁ ଗୁଣ ଗୁଡିକ ତ
ଦୁଃଖ ଦେଇ ଥାଏ
ସେ ତ ମନ, କେବେ ଦିଏନି ଧରା,
କେତେ ସ୍ୱପ୍ନ ଲୁଚିଯାଏ ।
ଭୁଲ ତ ହେବ, ଭୁଲ କରିଥିଲେ
ଅନୁତାପର ଜଳ ଲୋଡା ହୁଏ
ଅନୁତାପ ଜଳରେ ମନକୁ ଶୁଦ୍ଧପୂତ
ହେବାର ଚେଷ୍ଟା କରା ହୁଏ ।
ଜାଣିଛି ସ୍ୱଛତା ପାଇ ପାରିବି
ଯେବେ ମନ ଚେତନାକୁ
ଶୁଦ୍ଧ ଭାବନାରେ ଧୋଇ ପାରିବି
ବିଶୁଦ୍ଧ ଚିନ୍ତାଧାରାକୁ ।
ମନେ ପଡେ ମୁଁ ଠିଆ ହେଉଥିଲି
ସଦା ଆଇନାର ସାମନାରେ
କିଛି ଭେଲ ବା ଭୁଲ ବା ଦୋଷ
କଲେ ବାଳୁତ ସମୟରେ ।
ସମୟର ସ୍ରୋତରେ ଧାଉଁ ଧାଉଁ ବେଳେ
ବେଳେ କୁପଥରେ ଯାଏ,
ଆଇନା ସତ କହେ ମୋତେ, ଉତ୍ତମ
ପଥଟିକୁ ଚିହ୍ନି ନିଏ ।
ଜୁଆର ଭଟ୍ଟା ପରି ଉତ୍ଥାନ ପତନ
ଅଛି ଜୀବନ ଯାତ୍ରାରେ
ବିଚ୍ୟୁତ ନହୋଇ କର୍ମ କରି ଚାଲେ
ନିଜର ଜୀବନ ଯାତ୍ରାରେ ।
ନୁଆ ଶିକ୍ଷା ପାଇବା ସହିତ ସତ୍ୟର
ବାଟଟିକୁ ବାଛି ନିଏ
କୈଶୋରରୁ ସେ ଭାବନା ମଧ୍ୟ ରଖିଛି
ଆଜି ପର୍ଯ୍ୟନ୍ତ ଯାଏଁ ।
କହିବି ସଦା ସତ୍ୟ ବାଣୀ, ଶିକ୍ଷା
ପାଇଛି ଛୁଆ ଦିନରୁ
ନହୁଡ କେବେ ଜୀବନରେ ନିଜର
କର୍ମ କର୍ତ୍ତବ୍ୟ ନିଜ ଗୁରୁ ।
ଏହି ନୀତି ପାଳନ କରି ଚାଲିଛି,
ମୋ ଛୁଆ ଦିନରୁ
ମୋର କର୍ତ୍ତବ୍ୟ କରି ଚାଲିଛି, ଭୁଲି
ନାହିଁ ମୋ ମନ ମଧ୍ୟରୁ ।
ହେ ଇଶ୍ୱର, ଯଦି ଅଛ ସଂସାରରେ,
ମୋତେ ପଥ ଦିଅ ଭବିଷ୍ୟତରେ
କର୍ତ୍ତବ୍ୟକୁ ସାର ଭାବି, କର୍ତ୍ତବ୍ୟ କରି
ଚାଲି ଥିବି ଜୀବନରେ ।
ହେ ଇଶ୍ୱର, ଯଦି ଅଛ ସଂସାରରେ,
ମୋତେ ପଥ ଦିଅ ଭବିଷ୍ୟତରେ,
ବୁଦ୍ଧି ଯୋଗାଉ ଥାଅ କେବେ ନନିଅ
ମୋତେ ଅସତ କର୍ମରେ ।
