ମଣିଷ ଚିହ୍ନିବା କଷ୍ଟକର
ମଣିଷ ଚିହ୍ନିବା କଷ୍ଟକର
ଜୀବନ ପଥରେ ଆସନ୍ତି ଅନେକ
ଅଜଣା ଅଶୁଣା ଜନ
ଅଳପ ଅଧିକ ରହି ହୃଦୟରେ
ଛାଡନ୍ତି ସ୍ମୃତିର ଚିହ୍ନ ।
କେହୁଏ ନିଜର ଅତି ଆପଣାର
ରକ୍ତର ନ ହୋଇ ଜାଣ
ପ୍ରତି ମୁହୂର୍ତ୍ତରେ ଥାଏ ତାର ହାତ
ସୁଝିହୁଏ ନାହିଁ ଋଣ।
ମାନ ଅଭିମାନ ସ୍ନେହର ବନ୍ଧନ
ଅଭୁଲା ବିତିଲା କଥା
ନକହି ମନର ଆବେଗକୁ ପଢେ
ବୁଝିପାରେ ହୃଦ ବ୍ୟଥା ।
ଆହୁରି ଅନେକ ଆସନ୍ତି ଜୀବନେ
ଗଢ଼ନ୍ତି ସମ୍ପର୍କ ନୀଡ଼
ପ୍ରଥମ ପରଶ ଗଦାଏ ବିଶ୍ବାସ
ଇତିରେ ସାଜନ୍ତି ଜଡ ।
କଥାରେ ମଧୁର ମନ ଭୟଙ୍କର
ସମୟ ଜଣାଏ ବାକି
ସମ୍ମୁଖେ ଆଦର ପଛରେ ଜହର
ଅନ୍ତର ପାରେନି ରୋକି ।
ଆରମ୍ଭ ଇତିର ସ୍ୱଭାବ ମଧ୍ୟରେ
ଶୂନ୍ୟସ୍ଥାନ ହୁଏ ସୃଷ୍ଟି
ଅଳପ କଥାରେ ଈର୍ଷାର ବରଷା
ହେଉଥାଏ ପରା ବୃଷ୍ଟି ।
ଅଦିନିଆ ମେଘ ବଦଳାଏ ବେଶ
ହୁଏନି ସହଜେ ଜାଣି
ବୁଝିବା ଛଳରେ ହତ୍ୟାକରେ ଆତ୍ମା
ମିଛର ଆଶାକୁ ବୁଣି ।
ମଣିଷ ଚିହ୍ନିବା କଷ୍ଟକର ହୁଏ
ଆଜି ଦୁନିଆରେ ସତେ
ସ୍ୱଚ୍ଛ ସମ୍ପର୍କକୁ ଲାଳସା ଗ୍ରାସଇ
ଆପଣେଇ ଥାଅ ଯେତେ ।
