ସୁନେଲି ସନ୍ଧ୍ୟା
ସୁନେଲି ସନ୍ଧ୍ୟା
ବାରୁଣୀ ଆକାଶେ ଉଭା ଅସ୍ତାଚଳ ରବି
ଲୁଚି ଯାଆନ୍ତି ଧରାଦେହେ ଆଙ୍କିଦେଇ ଛବି
କନକ କିରଣ ପଡି ସବୁଜିମା କ୍ଷେତେ
ସୁନେଲି ଗାଲିଚାଟିଏ ପାରିଦେଇଛି କେ?
ଧାଡିବାନ୍ଧି ନିଳାକାଶେ ବିହଙ୍ଗମ କୂଳ
ଫେରିଯାନ୍ତି ନୀଡ଼ମୁଖେ ହୋଇ ଦଳଦଳ
ଶାବକ ମୁଖରେ ଦେଇ ଆହାର ଚେନାଏ
ଆହାକି ଆନନ୍ଦେ ତାର ରାତି ପାହିଯାଏ।,
ଗୋଧୂଳିରେ ଚମତ୍କାର ଧୂସର ଧରଣୀ
ହମ୍ବାରାବ ଦେଇ ଗାବେ ଗୋଷ୍ଠୁଫେରିଲେଣି
ଦୂର ଦେବାଳୟେ ଶୁଭେ ସନ୍ଧ୍ୟାଘଣ୍ଟ ଧ୍ଵନି
ଅପୂର୍ବ ସମ୍ଭାରେ କିବା ବିଜେ ସନ୍ଧ୍ୟାରାଣୀ।
ଗାଁ ଝିଅ ବୋହୁ ସବୁ ନଈତୁଠେ ଉଭା
ନାଲି ଟୁକୁଟୁକୁ ହସେ ମୁଖୁଁ ଝରେ ଆଭା
ଘନକେଶେ ଶୋଭାପାଏ ସେବତୀର ପୁଞ୍ଜି
ସତେ କି ସରଗେ ହସେ ତାରା ମିଞ୍ଜିମିଞ୍ଜି।
ସଂଧ୍ୟାକାଶେ ତାରାପନ୍ତି ଖିଲିଖିଲି ହସେ
ଜହ୍ନମାମୁଁ ସତେ କେଡେ ମନଲୋଭା ଦିଶେ
କୁନି ପିଲାମାନଙ୍କର ଲୁଚକାଳିଖେଳ
ଠିଆପୁଚି ନାରଙ୍ଗ ରେ ହୋଇ ଦଳ ଦଳ ।
ଅଜାଆଇ ବସି ଥାନ୍ତି ଭାଗବତ ଟୁଙ୍ଗିରେ
ମନ ତାଙ୍କ ମଜିଥାଏ ପୁରାଣର ରସରେ
କେ ବଖାଣେ ବୋହୁକଥା କେବଖାଣେ ପୁଅ
କାହାଘର ପୁଅ ସଂଗେ କାହାଘର ଝିଅ।
ଲୋଡ଼ା ନାହିଁ ସହରର ଅପରୂପ ଛବି
ଗାଁ ପାଣି ପବନରେ ମନ ଯାଉ ହଜି
ଏ ମାଟିରେ ଏମିତିକା ସନ୍ଧ୍ୟା ଆସୁଥାଉ
ସୁନେଲି ସନ୍ଧ୍ୟାରେ ଆମେ ବିଭୁ ପୁଜୁଥାଉଁ।
