STORYMIRROR

Niladri Bihari Mahapatra

Fantasy

4  

Niladri Bihari Mahapatra

Fantasy

ସୁନେଲି ସନ୍ଧ୍ୟା

ସୁନେଲି ସନ୍ଧ୍ୟା

1 min
302


 ବାରୁଣୀ ଆକାଶେ ଉଭା ଅସ୍ତାଚଳ ରବି

ଲୁଚି ଯାଆନ୍ତି ଧରାଦେହେ ଆଙ୍କିଦେଇ ଛବି

କନକ କିରଣ ପଡି ସବୁଜିମା କ୍ଷେତେ

ସୁନେଲି ଗାଲିଚାଟିଏ ପାରିଦେଇଛି କେ?

ଧାଡିବାନ୍ଧି ନିଳାକାଶେ ବିହଙ୍ଗମ କୂଳ

ଫେରିଯାନ୍ତି ନୀଡ଼ମୁଖେ ହୋଇ ଦଳଦଳ

ଶାବକ ମୁଖରେ ଦେଇ ଆହାର ଚେନାଏ

ଆହାକି ଆନନ୍ଦେ ତାର ରାତି ପାହିଯାଏ।, 

ଗୋଧୂଳିରେ ଚମତ୍କାର ଧୂସର ଧରଣୀ

ହମ୍ବାରାବ ଦେଇ ଗାବେ ଗୋଷ୍ଠୁଫେରିଲେଣି

ଦୂର ଦେବାଳୟେ ଶୁଭେ ସନ୍ଧ୍ୟାଘଣ୍ଟ ଧ୍ଵନି

ଅପୂର୍ବ ସମ୍ଭାରେ କିବା ବିଜେ ସନ୍ଧ୍ୟାରାଣୀ।

ଗାଁ ଝିଅ ବୋହୁ ସବୁ ନଈତୁଠେ ଉଭା

ନାଲି ଟୁକୁଟୁକୁ ହସେ ମୁଖୁଁ ଝରେ ଆଭା

ଘନକେଶେ ଶୋଭାପାଏ ସେବତୀର ପୁଞ୍ଜି

ସତେ କି ସରଗେ ହସେ ତାରା ମିଞ୍ଜିମିଞ୍ଜି।

ସଂଧ୍ୟାକାଶେ ତାରାପନ୍ତି ଖିଲିଖିଲି ହସେ

ଜହ୍ନମାମୁଁ ସତେ କେଡେ ମନଲୋଭା ଦିଶେ

କୁନି ପିଲାମାନଙ୍କର ଲୁଚକାଳିଖେଳ

ଠିଆପୁଚି ନାରଙ୍ଗ ରେ ହୋଇ ଦଳ ଦଳ ।

ଅଜାଆଇ ବସି ଥାନ୍ତି ଭାଗବତ ଟୁଙ୍ଗିରେ

ମନ ତାଙ୍କ ମଜିଥାଏ ପୁରାଣର ରସରେ

କେ ବଖାଣେ ବୋହୁକଥା କେବଖାଣେ ପୁଅ

କାହାଘର ପୁଅ ସଂଗେ କାହାଘର ଝିଅ।   

ଲୋଡ଼ା ନାହିଁ ସହରର ଅପରୂପ ଛବି

ଗାଁ ପାଣି ପବନରେ ମନ ଯାଉ ହଜି

ଏ ମାଟିରେ ଏମିତିକା ସନ୍ଧ୍ୟା ଆସୁଥାଉ

ସୁନେଲି ସନ୍ଧ୍ୟାରେ ଆମେ ବିଭୁ ପୁଜୁଥାଉଁ। 

         

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy