ଶୀତ ମହକ
ଶୀତ ମହକ
ଆଦ୍ୟ ପୁଷମାସ ଆଗତ ବସନ୍ତ
ନବ ଶିହିରଣ ଦେହେ
ସ୍ଵାଗତ ଜଣାଏ ମାତା ବସୁମତୀ
ଧୀର ସମୀରଣ ବହେ ।
ଶୀତରାଣୀ ସଙ୍ଗେ କାକର ପସରା
ବାଆ ସୁଲୁସୁଲୁ ଗାଇ
ବସନ୍ତ ବାସନା ଅଙ୍ଗେ ଉନ୍ମାଦନା
ମନକୁ ହଜାଇ ଦେଇ ।
ବାଳୁତ ସଙ୍ଗତେ ବଣଭୋଜି ମାନ
ଠାବେ ଠାବେ ଆୟୋଜନ
ପାହାଡ ତଳରେ ମନ୍ଦିର ପ୍ରାଙ୍ଗଣେ
ଉତ୍ସବରେ ଜନଗଣ ।
ପହିଲି ଶୀତର ମୃଦୁ ବିଚରଣେ
ତନୁ ଅନୁଭବେ କ୍ଷୀଣ
କୋମଳ ପରଶ ଆତୁର ଶରୀର
ଉଷୁମ ଲୋଡ଼ଇ ମନ ।
ଶୀତଦିନ ନିଶି ଲାଗେ ଅମାନିଆ
ଅସରା ହୁଅଇ ସତେ
ସପନ ସାଗର ବୁଣିଦେଇ ଯାଏ
ଅକୁହା କାହଣୀ କେତେ ।
ସଂଜବେଳ ହେଲେ ଦାଣ୍ଡ ପିଣ୍ଡା ପରେ
ସାଙ୍ଗସାଥି ଘୋଡ଼ି ହୋଇ
କାହାଣୀ ପସରା ବାସନା ନିଆରା
ଆଉ ମିଳିବ କି ଭାଇ ?
ଶୀତଦିନ ରାତି ବୁଢୀମାଆ ତାତି
ବେରୁହାଁ ପଟିର କୋଳ
ସ୍ମୃତି ହୋଇଗଲା ସେ ଦିନର କଥା
ମନେପଡେ ସେହି କାଳ ।
ସବୁ ରାତି ଯଦି ଲାଗନ୍ତା ଶୀତୁଆ
ଫଗୁଣ ହୁଅନ୍ତା ମନ
ମନ ଦରପଣେ ଭାସି ଆସୁଥାନ୍ତା
ପୁରୁଣା ସପନ ଦିନ ।