ଗ୍ରୀଷ୍ମ
ଗ୍ରୀଷ୍ମ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ସମୟ ବିଷମ ପ୍ରବଳ ଗ୍ରୀଷମ
ଘୋର ନିଦାଘ ସମୟ
ତପତ କାଳକୁ ସରବତ ଏକା
ବାତକୁ ଲୋଡ଼ଇ ହୃଦୟ ।
ହଳଦୀ କର୍ପୂର ସୁବାସ ଚନ୍ଦନ
ସଙ୍ଗେ ଶୀତଳ ପବନ
କାଞ୍ଜିପାଣି ଆଉ ଟଙ୍କ ତୋରାଣିରେ
ତୋଷି ହେଉଥାଏ ମନ ।
ଘୋଳଦହି ମିଶି ପଖାଳ ସାଙ୍ଗକୁ
ବାଡି ଲେଉଟିଆ ଭଜା
ଲୁଣ ଲଙ୍କା ସହ ପାଣି କାକୁଡିକୁ
ବାଇଗଣ ପୋଡ଼ା ମଜା ।
ମାଣ୍ଡିଆ ଜାଉର କରାମତି ପରା
ସଂଜୀବନୀ ପରି ଲାଗେ
ଖଇଙ୍ଗା ତାମ୍ପଡା ମରୁଆ ଶାବଳା
ଶୁଖୁଆ ଭଜାକୁ ମାଗେ ।
ଲାଉ ପାଣିତରୁ ଡ଼ାଲି ହୋଇଥିବ
ଲଙ୍କା ଓ ପିଆଜ ଛୁଙ୍କ
ଆଚାର ପାମ୍ପଡ ଡ଼ାଲି ଭାତ ସଙ୍ଗେ
ମନ ହେଉଥାଏ ରଙ୍କ ।
ନିଦାଘ ସମୟ ବଡ ଦାରୁଣଟି
ସଂଗ ସୁଖ ବଡ ବିଷ
ଏକାଳେ ଘରଣୀ ଦେଲେ ଥଣ୍ଡା ପାଣି
ମନେ ଘୋଟଇ ସନ୍ତୋଷ ।
ନିଦାଘେ ନିଶିଥ ଭାରି କଲବଲ
ବିନିଦ୍ରା ରଜନୀ ପାଇଁ
ତାଳପତ୍ର ପଙ୍ଖା ହୋଇଥାଏ ସଖା
ରାତି ସାରା ସାଇଁସାଇଁ ।
ଚାତକ ପରାୟେ ବରଷା ରାଣୀର
ଆଗମନ ପଥ ଚାହିଁ
ନିଇତି ଆକାଶେ ନୟନ ଘୁରଇ
ମୌସୁମୀ ପରଶ ପାଇଁ ।