ଦେବ ଦୀପାବଳୀ
ଦେବ ଦୀପାବଳୀ
ଆଲୋକର ପର୍ବ ଦୀପାବଳି ଆମ
ହିନ୍ଦୁଙ୍କ ପବିତ୍ର ଦିନ
ପ୍ରଭୁ ରାମଚନ୍ଦ୍ର ସାରି ବନବାସ
ଫେରି ଅଯୋଧ୍ୟା ଭୁବନ ।
ରାବଣ ମରଣ ଲଙ୍କାର ଦହନ
ସୀତା ଉଦ୍ଧାରଣ ସାରି
ନଗର ଜନତା ଆନନ୍ଦ ବାରତା
ବାଣ ପଟୁଆର ଧରି ।
ପ୍ରଭୁଙ୍କୁ ସ୍ଵାଗତ ପ୍ରଫୁଲ୍ଲିତ ଚିତ୍ତ
ହୁଳହୁଳି ବନ୍ଦାପନ
ରାଜ ଅଭିଷେକ ନିମନ୍ତେ ଜନତା
ଅର୍ଘ୍ୟଥାଳି ଶୁଭ ଗାନ ।
ଫସଲ ଅମଳ ଆରମ୍ଭ ଏ ଦିନ
ଲକ୍ଷ୍ମୀ ପୂଜା ଆରାଧନା
କାଳୀ ମାତାଙ୍କର ଦୁଷ୍ଟ ସଂହାରଣ
ମୋଦେହୋଇ କ୍ରୋଧମନା ।
ଅନ୍ଧାର ଉପରେ ଆଲୋକର ଜୟ
ଶୁଭ ଦୀପାବଳୀ ଦିନ
ଘରେ ଘରେ ବାଣ ମିଷ୍ଟାନ୍ନ ରନ୍ଧନ
ଆନନ୍ଦ ବାଳୁତ ଗଣ ।
ଅନ୍ଧାରରେ ଆସି ଉଜ୍ଜ୍ୱଳ ରେ ଯାଓ
ପୁରୁଷେ ଶ୍ରଦ୍ଧା ସୁମନ
ବରଷ କୁ ଥରେ କରିବା ଅର୍ପଣ
ଶୁଦ୍ଧଚିତ୍ତ ହୋଇ ମନ ।
ବଡ଼ ବଡୁଆଙ୍କୁ ଆଲୋକ ମାର୍ଗରେ
ଶ୍ରଦ୍ଧାରେ ବିଦାୟ ଦେଇ
ସୁଖରେ ବରଷ ମନରେ ହରଷ
ପିତୃ ଆଶୀର୍ବାଦ ନେଇ ।
ଅଜ୍ଞାନ ନାଶନ ଜ୍ଞାନ ଆହରଣ
ଆଜିର ବାରତା ହେଉ
କଳୁଷିତ ମନେ ପୁରୁ ଦିବ୍ୟଜ୍ଞାନ
ବିଭୁ ନାମ ଗାଈ ଯାଉ ।
ଜାତି ଧର୍ମ ବର୍ଣ୍ଣ ଭାବନା ହୃଦୟୁ
ହରି ନିଅ ହରିହର
ଅଜ୍ଞାନୀ ଜନଙ୍କୁ ଉଦ୍ଧାରଣ କର
ଉଶ୍ୱାସି ଅବନୀ ଭାର ।
ହିଂସା ଦ୍ୱେଷ ଭାବ ମାନବ ମନରୁ
ନିବାରଣ ହୋଇଯାଉ
ଶୁଭ ଦୀପାବଳୀ ଆଲୋକିତ ହେଉ
ପ୍ରେମ ଭାବ ସୃଷ୍ଟି ହେଉ ।।
