ଦୟା କ୍ଷମା ସତ୍ୟ
ଦୟା କ୍ଷମା ସତ୍ୟ
ଦୟା କ୍ଷମା ସତ୍ୟ କରୁଣା ବିଶ୍ୱାସ
ଜୀବାତ୍ମା ତହିଁରେ ଗଢା
ଏ ବିନୁ ଶରୀର ବୋଧଇ ଯେମନ୍ତେ
ମାଟି ଓ ପଥରେ ଗଢା ।
ଯାର ହୃଦୟରେ ନ ଉଦେ କରୁଣା
ମାନବରେ ନୁହେଁ ଗଣା
ଉଣା କରିବନି ସେନେହ ଭାବନା
ଅବିଜ୍ଞରେ ହେବ ଗଣା ।
କାଞ୍ଚନ ନୁହଁଇ ହୃଦୟ ଭୂଷଣ
କରୁଣା ଭୂଷଣ ମନ
ମଧୁର କଥାଟି ତୁଣ୍ଡକୁ ଭୂଷଣ
ସମସ୍ତଙ୍କୁ ପ୍ରିୟ ଜନ।
କରୁଣା ଭାବଟି ବଇକୁଣ୍ଠପୁର
ହିଂସାଭାବ ଯମପୁର
ଦେବତ୍ଵ ଭାବକୁ ହୃଦୟେ ବହିଲେ
ଦେବତା ଆସିବେ ଘର ।
ହିଂସା ଲୋଭ ମୋହ କାମ କ୍ରୋଧ ଅହଂ
ଷଡରିପୁ ରୁପେ ଗଣା
ଏମାନଙ୍କ ସଙ୍ଗେ ମଇତ୍ର ବାନ୍ଧିଲେ
ନର ହୁଏ ବାଟବଣା ।
ସତ୍ୟ ଓ କରୁଣା ଜଗତରେ ଜିଣା
ମିଥ୍ୟା ଓ କପଟ ମନ୍ଦ
ଏହି ଭାବନା ଯା ହୃଦୟେ ପ୍ରକଟେ
ତା ' ଗନ୍ଧ ବଡ଼ ସୁଗନ୍ଧ ।
ସମ୍ପଦ ଅଟଇ ବଡ ବିପଦଟି
ବେଳେ ଘେନିଯାଏ ପ୍ରାଣ
ନ ଥିଲେ ସମ୍ପଦ ନର ମଣେ ହୀନ
ସମାଜରେ ହୀନିମାନ ।
ସ୍ବାସ୍ଥ୍ୟ ଓ ଚରିତ୍ର ସବୁଠାରୁ ବଡ଼
ଶିକ୍ଷା ହୀନ ମୁଢ଼ମତି
ସଂସ୍କାର ନ ଥିଲେ ସବୁଠାରେ ହୀନ
ବୋଲାଏ ଅବିଜ୍ଞ ବ୍ୟକ୍ତି ।
ମୋର ମୋର ଅବା ମୁଁ ମୁଁ ଭାବ
ଜୀବନ ନାଶଇ କାଳେ
ସ୍ନେହ ପ୍ରେମ ଆଉ ମଇତ୍ରୀ ଭାବନା
ଜିଣିଥାଏ ମହୀତଳେ ।
ଜଗତ ପତିଙ୍କୁ ଅନ୍ତରେ ପ୍ରାର୍ଥନା
ସରଗ ମରତ ପୁର
ଅନୁପମ ହେଉ ତୁମରି ଆଶିଷେ
ଚରାଚର ଭୁମଣ୍ଡଳ ।