ଆମ ଗାଆଁ ବୁଢ଼େଇଶୁଣି
ଆମ ଗାଆଁ ବୁଢ଼େଇଶୁଣି
କହିବୁ ଗୋଟିଏ କଥା ଜନନୀ ଲୋ
କହିବୁ ଗୋଟିଏ କଥା
ଆମ ଗାଁ କିପରି ତିଆରି ହୋଇଲା
ଶୁଣିବି ନୁଆଁଇ ମଥା ।
କହିବି ଗୋଟିଏ କଥା ଧନମାଳି
ଶୁଣିବୁ ତୁ ଦେଇମନ
କିପରି ଆମ ଗାଁ ତିଆରି ହୋଇଲା
ହଜିଲା ପୁରୁଣା ଦିନ ।
ପାଞ୍ଚଶ ସାତଶ ବରଷ ସରିକି
ଏଠାରେ ନ ଥିଲା ଗାଆଁ
କଣ୍ଟାଲଟା ପଙ୍କ ପାଣି କାଦୁଅରେ
ପଶୁପକ୍ଷୀ ଙ୍କର ଆଁ।
କେତେ ଯେ ଗଧିଆ ବାଘ ଭାଲୁ ସାପ
ବିଲୁଆ କୁକୁର ମାଳ
ଦିନରାତି ଏଠି ନୃତ୍ୟ କରୁଥିଲେ
ହିଂସ୍ରଜନ୍ତୁ ପଲପଲ ।
ଆଠଗଡ଼ ବୋଲି ଆମର ରାଇଜ
ଯୁବରାଜ ଜଗନ୍ନାଥ
ଦଶପଲ୍ଲା ରାଜ ନନ୍ଦିନୀ ବରିଲେ
ଆଜ୍ଞା ନେଇ ପିତା ମାତ।
କାଞ୍ଚନ ଦେଇ ସେ ଦଶପଲ୍ଲା ବାଳି
ସୁକୁମାରୀ ଅଲିଅଳି
ଆଠଗଡ ରାଜା କର ଧରିକରି
ଅତି ଭାଗ୍ୟବନ୍ତ ନାରୀ ।
କେତେ ଧନ ରତ୍ନ ଦାସୀ ଓ ପୋଇଲି
ହାତୀ ଘୋଡ଼ା ବିଲ ବନ
ଯଉତୁକ ପଣେ ରାଣୀ ଗାଁ ଟିକୁ
କରିଥିଲେ ପୋଷ୍ୟ ଗ୍ରାମ ।
ରାଣୀ ମାଆଙ୍କର ସନମାନ ଅର୍ଥେ
ବୁଢ଼ୀ ସାମନ୍ତାଣୀ ନାମ
ଗାଁଆ ନାମ ଦେଇ କିରତୀ ରଖିଲେ
ଜଗନ୍ନାଥ ଦେବ ରାଣ।
ବୁଢ଼ୀ ସାମନ୍ତାଣି ନାମରେ ଗାଁଆଟି
କ୍ରମେ ଖ୍ୟାତି ଲାଭକଲା
କାଳେ ଅପଭ୍ରଂଶ ରୂପକୁ ବହିଲା
ବୁଢେଇଶୁଣି ହେଇଲା ।
ଗ୍ରାମର ଜନନୀ ବୁଢ଼ୀ ଠାକୁରାଣୀ
ଯେ ଦିନରୁ ବିଜେ ହେଲେ
ସେହି ଦିନଠାରୁ ବୁଢେଇଶୁଣି ଯେ
ଜନମାନସ ଡାକିଲେ ।
ରାଜା ଦିନେ ଛଳେ ରାଣୀଙ୍କୁ କହିଲେ
ଯେଉଁ ଗାଆଁ ପୋଷ୍ୟ କଲ
ଯେତେ ଚାଷ କଲେ ଫୁଟେନାହିଁ କେବେ
କି ଛାର ଚାକୁଣ୍ଡା ଫୁଲ ।
ଲଜାଭରେ ରାଣୀ ବାପାଙ୍କୁ କୁହାଇ
ହଜଟିଏ ଖୋଳାଇଲେ
ରାଣୀ ନାମ ଦେଇ ରାଜନ ହଜକୁ
କାଞ୍ଚନ ଦେଇ ରଖିଲେ ।
ଖରାଦିନ ହେଲା ପାଣି ସୁଖିଗଲା
ପଡିଆ ପଡ଼ିଲାଜମି
ହାସ୍ୟପଣେ ରାଜ ରାଣୀଙ୍କୁ କହିଲେ
କାହିଁ ଗଲା ତୁମ ପାଣି ?
ରାଗେ ତମ ତମ କାଞ୍ଚନ ଦେଇ ଯେ
ହକାରିଲେ ପାତ୍ର ମନ୍ତ୍ରୀ
ଧନେଇ ନାଳରୁ କେନାଲ ଖୋଳାଇ
କାଞ୍ଚନ ଦେଇରେ ଭର୍ତ୍ତି ।
ନଳେ ଓ କାଣିଏ ମାପର କେନାଲ
ନଳକଣିଆ ତା ନାମ
ରଭରଭିଆ ଯେ ତା ସାନ ଭଉଣୀ
କେଉଁ କାଳରୁ ଜନମ ।
ବେଲଗାଁ ବଘାଡ଼ି ବୁଢେଇଶୁଣି ଯେ
ବାରମାସୀ ଜଳ ପାଇ
ବରଷକେ ତିନି ଫସଲ ଫଳାଇ
ଆନନ୍ଦରେ ଚାଷୀ ଭାଇ।
ପୁରୁବେ ପୋଖରୀ ପାହାଡ ଝରଣା
ପଶ୍ଚିମେ ବାଘୁଆ ନଈ
ଉର୍ବର ମାଟିରେ ଭରପୁର ଗ୍ରାମ
ଶାଗମାଛ ଭରା ଯହିଁ ।
କାଳକ୍ରମେ ନାନା ଜାତିର ଜନତା
ଏହି ଗାଁ ବିଭବ ଦେଖି
ବସବାସ କଲେ ମହା ଆନନ୍ଦରେ
ମନ ରହିଗଲା ଲାଖି ।
କ୍ରମେ ରାସ୍ତାଘାଟ ହୋଇଲା ପ୍ରକଟ
ବସ୍ତି ଉନ୍ନୟନ ପ୍ରଜା
ମନ୍ଦିର ତିଆରି ପୋଖରୀ ଖୋଳାଇ
ଜମି ଖଞ୍ଜି ଦେଲେ ରାଜା ।
ଗୋପୀନାଥ ସ୍ବାମୀ ବୁଢ଼ୀ ଠାକୁରାଣୀ
ସ୍ଵପ୍ନେଶ୍ୱର ମହାଦେବ
ବିଜେ କରିଛନ୍ତି ହାତକୁ ପ୍ରସାରି
ଗ୍ରାମରେ ସୁଖ ବୈଭବ।
ପାହାଡ ଉପରେ ଶ୍ରୀ ଶ୍ରୀ ରଘୁନାଥ
ସ୍ବାମୀ ବିଜେ ହୋଇଛନ୍ତି
ଘଞ୍ଚ କାନନରେ ଭରପୁର ବେଢ଼ା
ନାନା ଫୁଲ ଫଳ ପନ୍ତୀ ।
ମୁଣ୍ଡିଆ ଉପରୁ ଗାଆଁ କୁ ଦେଖିଲେ
ଅନୁପମ ତା ସୁଷମା
ଧାନ କିଆରୀର ଓ ମଞ୍ଜୁଳ ଦିଗନ୍ତ
ମେଘ ଚୁମ୍ବଇ ନିଳୀମା ।
ଆମ ଗାଆଁ ଜୀବନ ଅତି ମନୋରମ
ଯାର ପଟାନ୍ତର ନାହିଁ
ସେନେହ ସରଧା ଭରପୁର ଏଠି
କପଟ ତା ତିଳେ ନାହିଁ ।
ସବୁଜ କ୍ଷେତରେ ଝିଙ୍କାରି ସ୍ୱନରେ
ଅରୁଣ ଖେଳନ୍ତି ଦୋଳି
ଦିବସ ରଜନୀ ବିଭାସିତ ଏଠି
ଆକାଶ ଚନ୍ଦ୍ରମଉଳି।
କେତେ ସୁପୁରୁଷ ଜନମିଲେ ଏଠି
କୂପ ଓ ପୋଖରୀ ଖୋଳି
ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ
ପକ୍କାଘର ଥିଲେ ତୋଳି ।
ଗାଁର ପୂରୁବ ଦିଗରେ ଝରଣା
କାଚକେନ୍ଦୁ ଭଳି ଜଳ
ସେ ଜଳ ବନ୍ଧାଇ ବନ୍ଧ ବାନ୍ଧିବାକୁ
ଗାଁ ଲୋକ ହେଲେ ମେଳ।
ଜନେ ମିଳିମିଶି ପୋଖରୀ ଗଢିଲେ
ଖଟାଇ ଅନେକ ବଳ
ଗୋଦରା ବନ୍ଧର ନାମରେ ପୋଖରୀ
ପରିଚିତ ଚୀରକାଳ।
ଶ୍ରୀ ଯୁଗଳ କିଶୋର ପଟ୍ଟନାୟକ
ଏହି ମାଟିର ସନ୍ତାନ
ଅଶି ଦଶକରେ ମନ୍ତ୍ରୀ ହୋଇଥିଲେ
ଦଶବର୍ଷ ପ୍ରଶାସନ।
ବାଲେଶ୍ଵର ଜିଲ୍ଲା ଭଦ୍ରକ ଆସନ
ବିଧାନ ସଭାକୁ ସଭ୍ୟ
ଅର୍ଥ ଓ ଆଇନ ସ୍ବାସ୍ଥ୍ୟ ରାଜସ୍ୱାଦି
ମନ୍ତ୍ରୀ ପଦେ ଗଉରବ ।
ଶ୍ରୀ ପ୍ରଫୁଲ୍ଲ କୁମାର ପାଣିଗ୍ରାହୀ ଯେ
ଗୋଠଳି ସାହି ସନ୍ତାନ
ପ୍ରଥମ ଡାକ୍ତର ପଦରେ ସୁଖ୍ୟାତି
ଆଣିଥିଲେ ସନମାନ ।
ଶ୍ରୀ କବିରାଜ ବରାଡ ଏହି ଗାଆଁ
ମାଟିରେ ଜନମ ହେଲେ
ମାଜିଷ୍ଟ୍ରେଟ ହୋଇ ତହସିଲଦାର
କାର୍ଯ୍ୟ ସମ୍ପାଦନ କଲେ ।
ପ୍ରଫୁଲ୍ଲ ବରାଡ ସୁବେଦାର ହୋଇ
ସଇନ ବିଭାଗେ କାମ
ଦୁଇଟି ସଂଗ୍ରାମେ ଅବତୀର୍ଣ୍ଣ ହୋଇ
ଲଭିଲେଣି ଇହଧାମ ।
ଶ୍ରୀ କନ୍ଧ ପରିଡ଼ା ବର୍ମା ଯାଇଥିଲେ
ସୁଭାଷ ଡାକରା ପାଇ
ଆଜାଦ ବାହିନୀ ଯୋଗ ଦେଇଥିଲେ
ସ୍ଵାଧୀନ ଭାରତ ପାଇଁ ।
ଶ୍ରୀ କନ୍ଧ ପରିଡ଼ା ପ୍ରଫୁଲ୍ଲ ବରାଡ
ସରଗ ପୁରରେ ରହି
ଗ୍ରାମର ଉନ୍ନତି ବଇଭବ ଦେଖି
ପରମ ସନ୍ତୋଷ ହୋଇ ।
ପୂର୍ଣ୍ଣଚନ୍ଦ୍ର ପଣ୍ଡା ବୈଜ୍ଞାନିକ ହୋଇ
ଆମେରିକା ଯାଇଥିଲେ
ପୁରସ୍କାର ପାଇ ଅଧ୍ୟାପକ ହୋଇ
ଶିକ୍ଷା ଦାନେ ବ୍ରତୀହେଲେ ।
ସତ୍ୟନାରାୟଣ ପାଣିଗ୍ରାହୀ ନାମେ
ଅନ୍ୟ ଯୋଗ୍ୟତମ ସୂତ
ରାୟଗଡା ବୈଷୟିକ ବିଦ୍ୟାଳୟ
ଅଧ୍ୟାପନା କର୍ଯ୍ୟେ ବ୍ୟସ୍ତ ।
ନୀଳକଣ୍ଠ ପାଣିଗ୍ରାହୀ ମଧ୍ୟ ଏଇ
ଗାଁ ମାଟିର ଯୋଗ୍ୟ ପୁଅ
ଛତିଶିଗଡର ବିଳାସପୁରରେ
ବିଶ୍ଵବିଦ୍ୟା ଳୟେ ଥୟ।
ନୃତତ୍ତ୍ୱ ବିଭାଗ ମୁଖ୍ୟ ପଦବୀରେ
କାର୍ଯ୍ୟ ଭାର ସମ୍ପାଦନ
ପ୍ରଫେସର ପଦେ ନିଯୁକ୍ତି ପାଇକି
ଲଭନ୍ତି ବହୁ ସମ୍ମାନ
କେତେ ବୀରପୂତ୍ର କୋଇଲା ଖଣିରେ
କଠୋର ସାଧନା କଲେ
ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରି
ସୁଖ ସ୍ୱାଛନ୍ଦ୍ୟ ଲଭିଲେ ।
ଥୋକାଏ ସଂଗ୍ରାମୀ ମୁମ୍ବାଇ ସୁରଟ
ବାର ଘଣ୍ଟା କର୍ମସ୍ଥାନେ
ଅର୍ଥ ରୋଜଗାର କୁଟୁମ୍ବ ପୋଷଣ
ବୀର ଅଭିମାନୀ ପଣେ ।
ଏପରି ଅନେକ ସୁଯୋଗ୍ୟ ସନ୍ତାନ
ଜନମି ଏହିଗାଁ ମାଟି
ଟେକ ରଖିଛନ୍ତି ଗଉରବ ଗାଥା
ଉଚ୍ଚକଲେ ଗାଁ ନାଆ ଟି ।
କେତେ ଯେ ଅକୁହା କାହାଣୀ ରହିଛି
ଏଇ ଗାଆଁ ମାଟି ତଳେ
କେତେ ସୁପୁରୁଷ ବିଦାୟ ନେଲେଣୀ
ବାଘୁଆ ନଦୀର କୋଳେ ।
ଗ୍ରାମ ଦେବତାଙ୍କୁ କୋଟିଏ ଜୁହାର
ଚାହିଁଥାଅ ଶୁଭ ନେତ୍ର
ଯେଉଁ ଯୋଗଜନ୍ମା ଗଢ଼ିଥିଲା ଗ୍ରାମ
ତା ଚରଣେ ଦଣ୍ଡବତ ।।