ପାର୍ବଣ
ପାର୍ବଣ
ନୀଳାଦ୍ରି ବିହାରୀ ମହାପାତ୍ର
ପାର୍ବଣ ଆସନ୍ତେ ଶୋଭା ବିକାଶିଲା
ଜଗଦ୍ଦମ୍ବା ଅବତରି
ଶ୍ରଦ୍ଧା ସୁମନରେ ବ୍ରତ ଅରପିଲେ
ଜଗତରେ ନରନାରୀ ।
ଶଇଳ ନନ୍ଦିନୀ ହେ ବିଶ୍ଵ ବନ୍ଦନୀ
ସୁରନର ଯା ପୟର
ଶୋଡଷୋପଚାର ପୂଜା ବିଧିମାନ
ପାର୍ବଣେ ଫୁଲ ଚାମର ।
ନବଦିନ ଯାଏ ପାର୍ବଣର ପୂଜା
ନବଦୁର୍ଗା ଆରାଧନା
ଚଣ୍ଡୀପାଠ ଭୋଗ ରାଗ ଜାଗ ଯଜ୍ଞ
ଶକ୍ତି ପୀଠେ ଅରଚନା ।
କଟକରେ ଚଣ୍ଡୀ ଲାଗେ ଭୋଗହାଣ୍ଡି
ବିମଳାଇ ଯାଜପୁରେ
ବାଙ୍କିରେ ଚର୍ଚ୍ଚିକା କାକଟେ ମଙ୍ଗଳା
ଠାକୁରାଣୀ ବ୍ରହ୍ମପୁରେ।
ଭଗବତୀ ବୋଲି ବାଣ ପୁରେ ଡକା
ମଣିନାଗ ରଣପୁରେ
ସମଲେଶ୍ୱରୀ ତୁ ପଶ୍ଚିମରେ ରାଣୀ
ବିଜେ ମହାନଦୀ ତୀରେ ।
କଳାହାଣ୍ଡି ଦେବୀ ମାଣିକ ଇଶ୍ୱରୀ
ସହସ୍ର ଛାଗଳ ବୋଦା
ବରଷକୁ ଥରେ ଭକତେ ଦିଅନ୍ତି
ଭାଷଇ ରକତ ଗଦା।
ତାରାତାରିଣୀ ଯେ ପର୍ବତ ଶିଖରେ
ବିଜେ ଦୁଇଟି ଭଉଣୀ
ଚଇତି ପରବେ କେଶ ଦେଇ ତୋତେ
ଶରଣ ନିଧନୀ ଧନୀ।
ରାମଚଣ୍ଡୀ ବୋଲି ବାରିଧି କୂଳରେ
ଦ୍ଵାର ଜଗିଥାଉ ଭଲା
କଳାପାହାଡ଼କୁ ଦୁଆରେ ଜଗାଇ
ପାଣି ଆଣିବାକୁ ଗଲା ।
ପୂର୍ବରେ କାମାକ୍ଷା ପଶ୍ଚିମେ ଆମ୍ବାଜି
ଉତ୍ତରରେ ଦୁର୍ଗା ଦେବୀ
ମୀନାକ୍ଷୀ ରୂପରେ ଦକ୍ଷିଣରେ ପୁଜା
ମଧ୍ୟେତୁ କାଳ ଭୈରବୀ ।
ତ୍ରିପୁର ସୁନ୍ଦରୀ ରାଜା ରାଜେଶ୍ୱରି
ମହିଷାମର୍ଦ୍ଦିନୀ ଦୁର୍ଗା
ଚୌଷଠି ଯୋଗିନୀ ଶକ୍ତି ସ୍ୱରୁପିଣୀ
ଚଉଦିଗେ ତୋର ଉଭା ।
