କାଶତଣ୍ଡି
କାଶତଣ୍ଡି
ନିଦାଘ ଚୁମ୍ବଇ ବରଷା
ହସେ ପ୍ରକୃତି ରାଣୀ
ସନ୍ତାପ ଧରଣୀ ଶୀତଳ
ସବୁଜିମା ବନାନୀ ।
ଚାତକେ ଲଭିଲେ ସନ୍ତୋଷ
ପାଇ ଅମୃତଧାରା
ସରିତେ ଉଚ୍ଛୁଳି ନାଚିଲେ
କୋଳରେ ବାରିଧାରା ।
ଶୁଭ୍ର କାଶତଣ୍ଡି ମହୀରେ
ଆସି ହେଲାଣି ଉଭା
ଚମତ୍କାର ଧରା ଦିଶଇ
ଯାର ମଣ୍ଡିତ ଗଭା ।
ପ୍ରକୃତି ଛଟକ ନାଟକ
ଦେଖି ଭଟକେ ମନ
ହଟ ଛାଡ଼ିଦେଇ ବାଳକେ
ହାଟେ ନାଟେ ମଗନ ।
କେକିଏ ନାଚିଲେ ବନସ୍ତେ
ପୁଚ୍ଛ ଉର୍ଦ୍ଧ୍ଵକୁ ଟେକି
ଘଞ୍ଚ ବନାନୀର ଗହଳେ
ପତ୍ରେ ନାଚନ୍ତି ଡାକି।
ପୁରିଉଠେ ଧରା ନିର୍ମଳ
ଦେଖି ନୀଳ ଅମ୍ବର
ଶୁଭ୍ର କାଶତଣ୍ଡି ତଟିନୀ
ହସେ ଶାଢୀ ଧବଳ ।
ବିଲ ବନ ପ୍ରାନ୍ତ ସରିତ
ରାଜ ପଥ ପାରୁଶ
ସ୍ତବନ୍ତି ବିଭୋରେ ସକଳେ
କାଶତଣ୍ଡି ସଙ୍ଗୀତ।
ଜଗତ ଜନନୀ ଅମ୍ବିକା
ଧରା ଆଗତ ପାଇଁ
କାଶତଣ୍ଡି ଢାଳେ ପ୍ରଣତି
ଶୁଭ୍ର ଚାମର ବାହି ।
ଶରଦେ ବାଳିକେ ଶାରଦା
ପୂଜୀ ଖୁଦୁରୁକୁଣୀ
ଜହ୍ନିଓଷା ଗୀତ ସଂଜରେ
ନିଏ ହୃଦୟ କିଣି।
ଶାରଦୀୟ ନବରାତ୍ର ରେ
ଘରେ ଘରେ ଉତ୍ସଵ
ପିଠାପଣା ନାନା ବ୍ୟଞ୍ଜନେ
ଚଉଦିଗ ସୌରଭ ।
ସୌରାଷ୍ଟ୍ର ରମଣୀ ଗରବା
ଛନ୍ଦେ ନୃତ୍ୟେ ଉଛନ୍ନ
ମନର ମଣିଷ ଆଶାରେ
ହୋଇ ଦେବୀ ପ୍ରସନ୍ନ ।
ହେନା ଚମ୍ପା ମୋତି ତମାଳ
ଫୁଲ ବାସଇ ମଲ୍ଲି
ଶୋଭାମୟୀ ଶୋଭା ପସରା
ଧରା ଦେଇଛି ମେଲି ।
ନାନାଭଙ୍ଗୀ ଫୁଲଫଳରେ
ଭରପୁର ପାଦପେ
ପାହାଡ ପର୍ବତ ଆକାଶେ
ଅନୁପମ ପ୍ରକାଶେ ।
କୋଟି ଲାବଣ୍ୟରେ ବିଭବ
ସଜ ଧରଣୀ ରାଣୀ
ଭାବୁକ ଦର୍ଶକ ଦର୍ଶନେ
ଆତ୍ମହରା ମୋହିନୀ ।
ହସେ ବସୁମତି ବିଭବେ
ରାଜେ ଦିଗନ୍ତ ଯାଏ
ନିଶାରେ ରସିକ ବିଭୋର
ମନ ହଜାଇ ଦିଏ।
ସୋନ୍ଦର୍ଯ୍ୟମୟୀ କାଶତାଣ୍ଡି
ତୋର ବାସନା ଥାଉ
ଯୁଗଯୁଗ ଯାଏ ଅବନୀ
ତୋର ସଙ୍ଗୀତ ଗାଉ ।।
