ଶୀତରାଣୀ କହେ ମୃଦୁବାଣୀ
ଶୀତରାଣୀ କହେ ମୃଦୁବାଣୀ
ଘୂରୁଅଛି ଅହରହ କାଳଚକ୍ର
ଅଟଇ ପରିବର୍ତ୍ତନ ବିଧିର ବିଧାନ
ହେ ମଣିଷ କର ନାହିଁ ହସ୍ତକ୍ଷେପ
ହୋଇବ ନିଶ୍ଚୟ ଘୋର ଅନିଷ୍ଟ କାରଣ ।
ସୀମିତ ମଣିଷ ଶକ୍ତି ଭାବନାହିଁ
ଆପଣାକୁ କେବେହେଲେ ସ୍ବୟଂ ସର୍ବେଶ୍ଵର
ଅହଂକାର ଅନଳରେ ପୃଥିବୀର
ସବୁଜିମା ହେବ ଖିନ୍ନ ଧ୍ବଂସ ଛାରଖାର ।
ଲାଲ ପେଣ୍ଡୁ ପରି ସୂର୍ଯ୍ଯ ବୁଲୁଛନ୍ତି
ଚଉପାଶ ନିତି ଆମ ଉଦୟରୁ ଅସ୍ତ
ଆସୁଛନ୍ତି ଏକ ପରେ ଅନ୍ଯ ଋତୁ
ଧରଣୀକୁ ଧରାଧରି ହୋଇ ତାଙ୍କ ହସ୍ତ ।
ହୋଇପାରେ ଭାବକଳ୍ପ ଆମ ଭ୍ରମ
ରଖିବା ଉଚିତ ମନେ ଉଦ୍ଦେଶ୍ଯ ମହତ
ପରିଣାମଦର୍ଶୀ ହୋଇ ସୁକର୍ତ୍ତବ୍ଯ
ମଣିଷ ମାତ୍ରେ ହିଁ ସର୍ବେ କରିବା ଉଚିତ ।
ଉପୁଯାଇ କେଣ୍ଡା କେଣ୍ଡା ସୁନାଶସ୍ଯ
ହସି ହସି ଶୀତରାଣୀ କହେ ମୃଦୁ ବାଣୀ
ବୁଝିବାକୁ ଚେଷ୍ଟାକର ପ୍ରିୟଜନେ
ସମୟ ପ୍ରକୃତି ଭୂମି ଅଟେ ଚିରନ୍ତନୀ ।
