ମୋହନ ବଂଶୀ
ମୋହନ ବଂଶୀ


ମୋହନ ବଂଶୀର ଉତ୍ପତ୍ତି ରହସ୍ୟ
ଉଲ୍ଲେଖ ଧର୍ମ ଶାସ୍ତ୍ରରେ
ଭିନ୍ନ ଭିନ୍ନ ମତବାଦ ବି ସଂଶ୍ଳିଷ୍ଟ
ବଂଶୀ ବାଦକ ନାମରେ
ଦ୍ଵାପର ଯୁଗରେ ଗୋପ ନଗରରେ
ମୋହନ ବଂଶୀ ଚର୍ଚ୍ଚିତ
ବଂଶୀର ମୂର୍ଚ୍ଛନା ସ୍ବର ବଳେ ପ୍ରାୟ
ସକଳ ଗୋପୀ ମୋହିତ
ଉଚ୍ଚାଟନ,ସ୍ତମ୍ଭନ,ବଶୀକରଣ
ପୁଣି ଅବସ୍ଥା ମୋହିତ
ବଂଶୀ ନାଦ ବଳେ ଗୋପୀ-ଗୋପାଙ୍ଗନା
କୃଷ୍ଣ ପ୍ରେମେ ବିହ୍ଵଳିତ
ମୋହନ ବଂଶୀର ପ୍ରଭାବ କିପରି
ଉଦ୍ଧବ ମନେ ଜିଜ୍ଞାସା
ରାଧା ମୁଖେ ବ୍ୟକ୍ତ ତଥ୍ୟ ଆଧାରରେ
ଜ୍ଞାତ ବି ହେଲେ ସହସା
ଅଦ୍ୱିତୀୟ ବଂଶୀ-ସ୍ୱନ ପ୍ରଭାବରେ
ତରଳି ଥିଲା ପଥର
ପଶୁମାନେ ହିଂସ୍ର ସ୍ବଭାବ ଭୁଲିଲେ
ଯମୁନାର ଜଳ ସ୍ଥିର
ଜଳ ଚର ଜୀବ ସ୍ଥିର ଅବସ୍ଥାରେ
ବିହଙ୍ଗ କାକଳି ଭୁଲି
ପବନ ଓ ଚନ୍ଦ୍ର ନିଜ ଗତି ପଥ
ସହଜେ ଗଲେ ବି ଭୁଲି
ଧ୍ୟାନସ୍ଥ ଯୋଗୀ ର ହେଲା ଧ୍ୟାନ ଭଗ୍ନ
ଗୋପାଙ୍ଗନା ବି ବିବ୍ରତ
କାମିନୀ ଶ୍ରୀରାଧା ଯାମିନୀ କାଳରେ
ବଂଶୀ ସ୍ୱନ ରେ ମୋହିତ
କୂଳବଧୁ,ଘର ଶାଶୁ ଓ ନଣନ୍ଦ
ମନରେ ନାହିଁ ବିଚାର
କାହ୍ନା ବଂଶୀ ସ୍ଵର ଆକର୍ଷଣ ଧାରେ
କୁଞ୍ଜବନେ ଆଗଭର
ହେ ମୋହନ,ତୁମ ବଂଶୀ ସ୍ୱନ କଥା
ଉଦ୍ଧବ ଆସି ପଚାରେ
କିପରି କହିବି ଭାଷା ପାଉ ନାହିଁ
ବଂଶୀ ମୋହ ବର୍ଣ୍ଣିବା ରେ
ତଥାପି କହିଛି କହୁଛି ବୁଝାଇ
ମୋହନ ବଂଶୀର ଗାଥା
ଉଦ୍ଧବ ମୁଖରୁ ମୋ ମନର କଥା
ଶୁଣ ରାଧା ହୃଦ ବ୍ୟଥା
ଭାସି ଆସୁ ଥିଲା ବଂଶୀର ମୂର୍ଚ୍ଛନା
ସମ୍ମୋହନ ସୁରେ ସୁରେ
ରାଧା ରାଧା ନାମ ଶୁଭୁଥିଲା କର୍ଣ୍ଣେ
ତୁହାକୁ ତୁହା ସତ୍ତ୍ଵରେ
ସାତ ସୁର ତାଳ ଲୟ ସହିତରେ
ଡାକୁ ଥିଲା ସେଇ ବଂଶୀ
ମୋହ ହୁଏ ଜାତ ଆପେ ହୃଦୟରେ
ସେ ପରା ମୋହନ ବଂଶୀ
ମୋହନ ବଂଶୀର ଅପୂର୍ବ ମୂର୍ଚ୍ଛନା
ବାଜି ଉଠେ ଯାହା କାନେ
ଅଙ୍ଗେ ଅଙ୍ଗେ ଶିହରଣ ଖେଳି ଉଠେ
ପୁଲକିତ ତନ ମନେ
ବନରେ ମୟୁରୀ ଆକାଶରେ ମେଘ
ନାଚିଲେ ବଂଶୀ ସ୍ୱରରେ
ଯମୁନା ଯିବାକୁ ଗୋପ-ଗୋପାଳୁଣୀ
ବିଚାର କଲେ ହୃଦରେ
ଯମୁନାର ଜଳ ଉଠିଲା ଉଛୁଳି
ଡାକ ଦେଲେ ପିକ ଶୁକ
କୁଞ୍ଜବନ ଚଉପାଶ ଗୁଞ୍ଜରିତ
କଦମ୍ବ ଫୁଲ ମହକ
ଏକକୁ ଆରେକ ହେଲେ ଡକା-ଡକି
ଗୋପପୁର ବ୍ରଜ ବାଳୀ
ରାଧା ତନ ମନ ହୋଇଲା ଉଚ୍ଛନ୍ନ
ସଖୀ ସଙ୍ଗ କଲା ମେଳି
ଚାହିଁ ବସିଥିଲା କେଉଁ ତରୁ ଡାଳେ
ରାଧା ଖୋଜୁ ଥିବା କାହ୍ନା
ଲୁଚି ଲୁଚି ରହି ରାଧା ପଥ ଚାହିଁ
ତୋଳେ ବଂଶୀ ରେ ମୂର୍ଚ୍ଛନା
କୁଞ୍ଜ ବନେ ହୁଏ ମିଳନ ରାହାସ
ରାଧା-କୃଷ୍ଣଙ୍କର ରାସ
ଯୁଗଳ ମୂରତି ଦେଖି ଗୋପାଙ୍ଗନା
ଲାଜେ ଥାଇ ମୁଖେ ହସ
ସହସ୍ର ଗୋପିକା ନୃତ୍ୟ ଗୀତେ ରତ
କେଳିକୁଞ୍ଜ କୁଞ୍ଜ ବନେ
କୁଞ୍ଜ ବିହାରୀଙ୍କ ଜ୍ୟୋତି ଚମକ ରେ
ଶୋଭାମୟ ମଧୁବନେ ।
ମୁରଲୀ ସ୍ଵନ ରେ ଯେବେ ଗୁଞ୍ଜରିତ
କୁଞ୍ଜବନ ରାସ ଦୋଳି
ଚିତ୍ତ ଚୋରି ହେଲା ଗୋପାଙ୍ଗନାଙ୍କର
ପ୍ରେମ ଉଠିଲା ଉଛୁଳି
କି କୁହୁକ ଥିଲା ମୁରଲୀ ସ୍ୱନ ରେ
ଗୋପ ବାଳୀ ହେଲେ ମେଳି
ସବୁ ଭୁଲି ରାଧା ମୁରଲୀଧାରୀ ଙ୍କୁ
ଦିବା ନିଶି ହେଲେ ଭାଳି
ଯେଉଁ ହାତେ ଧରି ମୁରଲୀ ବଜାଇ
ଜିଣି ହେଲା ଗୋପୀ ମନ
ସେ' ହାତରେ ଦିନେ ଗୋବର୍ଦ୍ଧନ ଟେକି
ରକ୍ଷା ହେଲା ଗୋପୀ ପ୍ରାଣ
ମୁରଲୀ ଧାରୀ ରୁ ଗୋବର୍ଦ୍ଧନ ଧାରୀ
ଜାଣିଲା ଗୋପ ନଗରୀ
ମନ ମୋହି ପୁଣି ଗର୍ବ ଖର୍ବ କରି
ପ୍ରିୟ ହୋଇଲେ ସବୁରି
ଗୋପପୁର ଭୁଲି ରହିଲେ କେଉଁଠି
ଶୁଭୁନି ମୁରଲୀ ସ୍ୱନ
ପ୍ରାୟ ନୀରବତା ଖେଳେ ଗୋପ ପୁରେ
ବାହୁନେ ରାଧାର ପ୍ରାଣ
ଯମୁନା ଘାଟରେ ଅବା କୁଞ୍ଜ ବନେ
ନାହିଁ ସେ ମୁରଲୀ ଧାରୀ
ନନ୍ଦ ଉଆସରେ ନାହିଁ କୋଳାହଳ
ଗୋପପୁର ହତଶ
ିରୀ
ମୋହନ ମୁରଲୀ ଯଦିଓ ବାଜୁନି
ରହିଛି ସେ ପ୍ରତିଧ୍ଵନି
ବେଳେବେଳେ ମନ ହୁଏ ଆନମନା
ହୃଦୟ ହୁଅଇ ହାଣି ।
ଶ୍ୟାମ ବିନା କୁଞ୍ଜବନ ଶୂନ୍ୟତା ରେ
ବିଚଳିତ ହେଲା ପ୍ରାଣ
ଘନ କାଳେ କାହିଁ ଗଲେ ଶ୍ୟାମଘନ
ତନ ମନ ଅବସନ୍ନ
ଝୁରୁଛି ରାଧିକା ଏକାକୀ କୁଞ୍ଜରେ
ଚିନ୍ତା ଚେତନାରେ ଶ୍ୟାମ
ଶ୍ୟାମ ଦୂର୍ବାଦଳ ମୋହନ ନାଗର
ଠାଣି ବାଣୀ ଅନୁପମ
ନୟନରେ ଅଶ୍ରୁ ହୃଦୟରେ କୋହ
ଓଠ ଧାରେ ନାହିଁ ହସ
ଶ୍ୟାମ ବିନା ଏହି ଯାମିନୀ ବିତିବା
ପ୍ରାୟ ଶୁନ୍ୟ ନିରଳସ
ଝୁରୁ ଅଛି ରାଧା କାହ୍ନା କଥା ଭାଳି
କହୁଛି ଅନ୍ତର କଥା
ଶ୍ୟାମ ରୂପ ,ରଙ୍ଗ, ତ୍ରିଭଙ୍ଗୀ ଚାହାଣୀ
ଦର୍ଶନ ନିମନ୍ତେ ଚିନ୍ତା
ପ୍ରେମର ଆଧାର ଶ୍ରୀରାଧା ପ୍ରେମିକା
ସାକ୍ଷୀ ଯମୁନାର ଜଳ
ସାକ୍ଷୀ କେଳି କୁଞ୍ଜ,ସାକ୍ଷୀ ସହଚରୀ
ସାକ୍ଷୀ ଗୋପୀ ଓ ଗୋପାଳ
ଆକାଶକୁ ଚାହିଁ ଭାବୁଛନ୍ତି ରାଧା
ଆକାଶର ରଙ୍ଗ ନୀଳ
ନୀଳ ତମାଳ ଓ ଯମୁନାର ଜଳ
କୃଷ୍ଣ ସ୍ଵୟଂ ରଙ୍ଗ ନୀଳ
ପୁରୁଷ ପ୍ରକୃତି ମିଳନର ଗାଥା
ଆତ୍ମା, ଆତ୍ମା ସହ ଲୀନ
ଶ୍ରୀରାଧା ମାଧବ ଏକ ଦିବ୍ୟ ଆତ୍ମା
ଅବିଚ୍ଛେଦ୍ୟ ଚିରାମ୍ଳାନ
ମନ ଜଳେ ବିରହର ଦାବାନଳେ
ଏକାକୀ ଘନ କାଳରେ
ସମ୍ଭାବନା ଭାବ ହୃଦେ ଉଜ୍ଜୀବିତ
ଚାହିଁଛି ବି ଉଜାଗରେ
କାମିନୀ ବେଶରେ ସଜ ଫୁଲ ସବୁ
ମଉଳି ଗଲାଣି ପ୍ରାୟ
ବିତୁଛି ଏ ରାତି ପାଶେ ନାହିଁ ସାଥୀ
ମନରେ ଉଠୁଛି କୋହ
ଦୂର ଦେଶୀ ବନ୍ଧୁ ସମ ଅଛ ଦୂରେ
ଡାକି ଥିଲ ବଂଶୀ ସ୍ୱରେ
ଉଚ୍ଛନ୍ନ ମନରେ ଶୀତଳତା ଭାବ
ମୃଗ ତୃଷ୍ଣା ଭାବନାରେ
ଫଟା ବେଲୁନ ର ପବନ ସମାନ
ଲିଭି ଯିବା ଦୀପ ଶିଖା
ଶୁନ୍ୟରେ ଅଦୃଶ୍ୟ ହୁଅଇ ଯେପରି
ପ୍ରେମ ଭାବେ ତୁମେ ସଖା
ପରମ କାହ୍ନାର ରାଧା ଜୀବ ସମ
ନିଃସର୍ତ୍ତ ରେ ସମର୍ପଣ
ସାଂସାରିକ ବାଧା ବିଘ୍ନ ଥିବା ସତ୍ତ୍ବେ
ରାଧା ଚାହେଁ ଆଲିଙ୍ଗନ
ଶାଶୁ ଶଶୁର ଓ ନଣନ୍ଦ ଗଞ୍ଜଣା
ପୁଣି ପ୍ରେମ କଥା ଧାରେ
କାହ୍ନା ସହ ରାଧା ନାମ ଯୋଡ଼ି ନିନ୍ଦା
ପ୍ରାୟ ଆଗରେ ପଛରେ
ହୃଦରେ କମ୍ପନ ଆଖିରେ ସପନ
ଓଠେ ନାହିଁ ମିଠା ଧାର
ଅପଲକ ନୟନରେ ଚାହିଁ ଅଛି
କେବେ ଆସିବେ ନାଗର
ବେଦନା ର ଜଉ ଘରେ ଶାରୀ ସମ
ଅଛି ମୁକ ଅବସ୍ଥାରେ
କୁଞ୍ଜବନ ଛାଡ଼ି କାହିଁ ଗଲେ ଶ୍ୟାମ
ରାଧା ବିରହି ରୂପରେ
କିଛି ତ ଲୁଚାଇ ନ ଥିଲା ଏ ରାଧା
ଭାବ ହେଲା ଦିନ ଠାରୁ
କାହିଁକି ଦୂରେଇ ଗଲା ସେଇ କାହ୍ନା
ଭାବ ରହିଲା ଅଧାରୁ
କାହ୍ନା ଭାବନାକୁ ସମ୍ମାନ ଜଣାଇ
ଉନ୍ମୁକ୍ତ ରାଧାର ଭାବ
କିଛି ଲୁକ୍କାୟିତ ନ ଥିଲା ହୃଦରେ
କାହ୍ନା ଭାବରେ ହିଁ ଭାବ
କାହ୍ନା ବଇଁଶୀ ର ସୁର ଲୟ ତାଳେ
କିଛି ବି ରହିନି ଲୁଚି
ସେଇ ସୁର ତାଳ ଲୟେ ଥିଲା ଭାବ
ହୃଦୟ ଭାବ ଖୋଲିଛି
ଅଧା ରହିଗଲା ଭାବର ପ୍ରକାଶ
କାହ୍ନା ଗଲା କାହିଁ ଲୁଚି
ଅଧୁରା ରହିଲା ଲୁଚକାଳି ଖେଳ
ରାଧା ଚାହେଁ ଲୁଚା-ଲୁଚି
ଆଉ ଥରେ କଣ ଆସିବ କି କାହ୍ନା
ରାଧା ଅଛି ଯହିଁ ଲୁଚି
ଏ ଦୁନିଆ କହେ ବାକି ରହିଗଲା
ରାଧାକୃଷ୍ଣ ଲୁଚା-ଲୁଚି
ଥରେ ମାତ୍ର ଆସ ଏହି କୁଞ୍ଜବନ
ରାଧା କାହ୍ମାକୁ ଖୋଜୁଛି
ଏ ଯାମିନୀ ଅନ୍ତ ହେବାକୁ ନିକଟ
ଏ କାମିନୀ ବି ମଉଳିଛି
ଦୂର୍ବାଦଳ ଶ୍ୟାମ ଶ୍ୟାମ ଶ୍ୟାମା ଶ୍ୟାମ
ଜପିଲି ସାରା ଯାମିନୀ
କାମିନୀ ଭାବନା ମଉଳି ନ ଯାଉ
କହେ ରାଧା ବିରହିଣୀ
ତୁମ୍ଭ ପ୍ରତୀକ୍ଷାରେ ରହିଛି ଏ ରାଧା
ସଜଳ ନୟନ ଧାରେ
ମୋହନ ବଂଶୀର ପ୍ରତିଧ୍ଵନି ପ୍ରାୟ
କେବଳ ରାଧା ହୃଦରେ