ମୋ ସିଲଟ
ମୋ ସିଲଟ
ଖଡିଛୁଆଁ ଯେବେ ହୋଇଲା ମୋହର
ଆସିଲା ନୁଆ ସିଲଟ
ବ୍ରହ୍ମା, ବିଷ୍ଣୁ, ମହେଶ୍ୱର, ଙ୍କ ନାମରେ
ତିନଟି ଶୁନରେ ପାଠ ।
ଚାରିପଟେ ତାରଗୋଟିଏ ଇଞ୍ଚର
ଚାରିଖଣ୍ଡି ପଟା ଥାଏ
ସୁନ୍ଦର ଭାବରେ ତିଆରି ହୋଇ ସେ
ଚିକ୍ ଚିକ ମାରୁଥାଏ।
ମାଟି ସିଲଟରେ ଖଡ଼ିରେ ଖୁସିରେ
ପାଠ ସବୁ ଲେଖିଥିଲିi
ଶିକ୍ଷକ ମାନଙ୍କୁ ପାଠ ଦେଖାଇଲା
ପରେ ତାକୁ ଧୋଉଥିଲି।
ଗୀତ ବୋଲୁଥିଲି ନଇ ପାଣି ରେ ତୁ
ନଇକୁ ତୁ ଚାଲିଯାଆ
ମୋ ସିଲଟରେ ତୁ ସବୁ ସିଲଟ ଠୁ
ଶୀଘ୍ରଶୀଘ୍ର ଶୁଖିଯାଆ ।
ମାଟି ସିଲଟ ମୋ ଭାଙ୍ଗିଯାଏ ଯେବେ
ଆଖିରୁ ଲୁହ ଝରଇ
ସେହିଦିନ ବାପା ନୁଆ ସିଲଟ ଟେ
କିଣି ଆଣନ୍ତି ମୋ ପାଇଁ।
ମାଟି ସିଲଟରେ ପ୍ରଥମ କରି ମୁଁ
ଅକ୍ଷର ଯେବେ ଲେଖିଲି
ସେ ବେଳର ଖୁସି କହିହେବନହିଁ
କେତେ ଖୁସି ହୋଇଥିଲି।
ତୃତୀୟ ପର୍ଯ୍ୟନ୍ତ ମାଟି ସିଲଟରେ
ତା ପରେ ରଫ୍ ଖାତାରେ
ପାଠ ପଢ଼ୁଥିଲି ସେହି କଥା ମୋର
ମନ ମଧ୍ୟେ ଉଙ୍କି ମାରେ।
ମାଟି ସିଲଟ ପରେ ଟିଣ ସିଲଟ
ପରେ ପ୍ଲାଷ୍ଟିକ ସିଲଟ
ଏବେକାର ପିଲା ସିଲଟ ରେ ଆଉ
ପଢୁନାହାନ୍ତି ଟି ପାଠ।
ଯେତେ ଯାହାହେଲେ ପ୍ରଥମପାଠ ଟି
ସିଲଟରୁ ଯେ ଆରମ୍ଭ
ଖଡ଼ି ଛୁଆଁ ବେଳେ ତାର ଦରକାର
ସିଲଟ ଆମ ଗୌରବ।
