ମୋ ଗାଁ
ମୋ ଗାଁ
ଅଛି ସେଇ ଗାଁ ଅଛି ସେ ଗୋଧୂଳି ଅଛି ସେ ଗାଧୁଆ ତୁଠ
ଭୁଆସୁଣି ଆଉ ନଦୀକୁ ଆସୁନି, ଫେରୁନାହିଁ ଗାଈ ଗୋଠ ।
ଅଛି ସେ ଗହୀର ଅଛି ସେଇ ବିଲ ଅଛି ସେଇ ବରଗଛ
ଚାଷୀଭାଇ ଆଜି ଦାଦନ ଖଟୁଛି, ହେଉନାହିଁ ଚାଷବାସ ।
ଅଛି ସେଇ ବଣ ଅଛି ସେଇ ବୁଦା ଅଛି ସେ ବରକୋଳି
ଗାଁ ଝିଅ ଏବେ ଅଳତା ପିନ୍ଧୁନି, ଝୁଲୁ ନାହିଁ ରଜ ଦୋଳି ।
ଅଛି ସେ ବସନ୍ତ, ଅଛି ସେ ମଳୟ ଅଛି ସେଇ ମୁହଁ ସଞ୍ଜ
କୋକିଳର କୁହୁ ଶୁଭୁ ନାହିଁ ଆଉ, ନାହିଁ ଆଉ ଆମ୍ରକୁଞ୍ଜ ।
ଅଛି ସେ ଦୋଳ ଅଛି ସେ ମେଳଣ ଅଛି ସେଇ ଭୋଗଡାଲା
ହରିବଂଶ ଆଉ ପଢା ହେଉନାହିଁ, ହେଉ ନାହିଁ ବାଦିପାଲା ।
ଅଛି ସେଇ ଅଜା ଅଛି ସେ ଆଇ ଅଛି ସେ ବଂକୁଲି ବାଡ଼ି
ନାତି ଟୋକା ଏବେ ସହରେ ରହୁଛି, ଫିଟୁ ନାହିଁ ଗପପେଡି ।
ଅଛି ସେ କଦମ୍ବ ଅଛି ସେ ଯମୁନା ଅଛି ତାର ନୀଳ ଜଳ
ଗାଁ ପୋଖରୀଟା ଦଳରେ ଭରିଛି, ଫୁଟୁ ନାହିଁ ଶତଦଳ ।
ଅଛି ଅଛି ବୋଲି ସବୁ ଭରି ଅଛି, ନାହିଁ ଖାଲି ଆତ୍ମୀୟତା
ସମସ୍ତେ ଆଜି ଆତ୍ମସ୍ୱାର୍ଥେ ବେସ୍ତ, ଚାରିଆଡେ ନୀରବତା ।
ଆସ ହେ ଭାଇ ଆସ ହେ ବନ୍ଧୁ, କାନ୍ଧୁଛି ତୋ ମାଟି ମା
ତାହାରି ଛାତିରେ ଚାଲି ଶିଖିଥିଲୁ, ଥରେ ଦେଖି ଦେଇ ଯା' ।
