ମୋ ଗାଁ
ମୋ ଗାଁ
ଏ ମର୍ତ୍ତ୍ୟ ଭୁବନେ ବୈକୁଣ୍ଠ ସମାନ
ଅଟେ ମୋର ଛୋଟ ଗାଁ ଟି
ପିଲାଦିନ ମୋର ବିତିଛି ତା' କୋଳେ
ରଖିବି ତାହାରି ନାଁ ଟି ।
ମାଟି ନୁହେଁ ସେ ତ ଅଟେ ମାତୃଭୂମି
ମାଆ ପରି ସେ ନିଜର
ତା'ର ଜହ୍ନରାତି, ଯାନି-ଯାତ୍ରା ଆଦି
ଲାଗଇ କେତେ ସୁନ୍ଦର ।
ବୈଶାଖ ଆସିଲେ ହସେ କୃଷ୍ଣଚୂଡ଼ା
ନାଲି ପାଟ ଶାଢୀ ପିନ୍ଧି
ଆମ୍ବ ତୋଟା ମାଳେ କୋଇଲି ଗୀତରେ
ମନ ହୋଇଯାଏ ବାନ୍ଧି ।
ଶ୍ରାବଣ ମାସରେ ଝରଇ ବରଷା
ଆନନ୍ଦେ ଉଛୁଳେ ଚାଷୀ
ଧାନ କ୍ଷେତରେ ତା' ସୁନାର ଫସଲ
ଦେଖି ହେଉଥାଏ ଖୁସି ।
ଶରତ ଆସିଲେ କାଶତଣ୍ଡୀ ଫୁଟେ
ଶୁଭେ ଘଣ୍ଟ ହୁଳହୁଳି
ଗ୍ରାମ ଦେବତୀଙ୍କ ଆରାଧନା ପାଇଁ
ସଜାନ୍ତି ପୂଜାର ଥାଳି ।
ଶୀତର ସକାଳେ କାକର ବିନ୍ଦୁରେ
ଗାଁ ମୋ ଲାଗଇ ନିଆରା
ଗ୍ରାମ୍ୟ-ପଥ ପରେ ସଭିଏଁ ଏକାଠି
ଜମାନ୍ତି ଗପ ପସରା ।
ବସନ୍ତ ଆସନ୍ତେ ବାସଇ ବଉଳ
ଚଉଦିଗ ମହକାଇ
ଭ୍ରମର ଉଡ଼ଇ ଫୁଲରୁ ଫୁଲକୁ
ଏଣୁତେଣୁ ଗୀତ ଗାଇ ।
ଯା' ପାଣି ପବନ ମଳୟ ଚନ୍ଦନ
ତା' କୋଳେ ଜନମ ମୋର
ଯା'ର ଲୋକକଥା କଣ୍ଠେ ଦେଲା ଭାଷା
ସେହି ମୋର ସ୍ଵର୍ଗପୁର ।