STORYMIRROR

Kulamani Sarangi

Children

4  

Kulamani Sarangi

Children

ଗୋଟିଏ ଚାଉଳର ଆତ୍ମକଥା

ଗୋଟିଏ ଚାଉଳର ଆତ୍ମକଥା

1 min
113


କେତେ ଅଛନ୍ତି ଚାଉଳ,

ମୋପରି କାହାର ଭାଗ୍ୟ ଉଜ୍ଜଳ

ସଜନୀ ଲୋ,

ସବୁ ଚକାଡୋଳାଙ୍କର ଖେଳ।


'ଚାଉଳ' ହୋଇ ମୁଁ ଥିଲି,

ଶ୍ରୀମନ୍ଦିର ରୋଷଘରେ ପଶିଲି

ସଜନୀ ଲୋ,

'ଅମୁଣିଆ ଅନ୍ନ' ବୋଲାଇଲି।


କୁଡୁଆରେ ସିଦ୍ଧ ହୋଇ,

'ଅନ୍ନ' ନାମ ଗୋଟି ବହିଲି ମୁହିଁ

ପ୍ରିୟ ସହୀ,

ନେଲେ ପ୍ରଭୁଙ୍କର ଲାଗି ପାଇଁ ।


ରୋଷଘରୁ ବାହାରନ୍ତେ

'ଛେକ' ନାମଗୋଟି ଦେଲେ ସେ ମୋତ

ସଜନୀ ଲୋ

ଭଇରବୀ ଚକ୍ର ପରିଯନ୍ତେ।


ଭୈରବୀ ଚକ୍ରେ ସ୍ଥାପନ,

ହୁଅନ୍ତେ 'ଭୋଗ' ହେଲା ମୋର ନାମ

ସଜନୀ ଲୋ,

ତହିଁ ଦେଖିଲି ଚକା ନୟନ।


ତିନି ଠାକୁରଙ୍କ ଠାରେ,

ଲାଗିହେଲି ମୁଁ 'ନୈବେଦ୍ୟ' ନାମରେ,

ସଜନୀ ଲୋ

ମୋର ଖୁସି କହିଲେ ନସରେ।


"ନୈବେଦ୍ୟ" ନାମେ ମୁଁ ଗଲି

ବିମଳାଙ୍କ ପାଶେ ଲାଗି ହୋଇଲି

ସଜନୀ ଲୋ

"ମହାପ୍ରସାଦ " ମୁଁ ବୋଲାଇଲି।


ଯେ ପଞ୍ଚ ପରମେଶ୍ଵର

ତାଙ୍କ ଆଗେ ଯାଇ ହେଲି ହାଜର

ସଜନୀ ଲୋ

ନାମ "କୈବଲ୍ୟ" ହେଲାଟି ମୋର।


ଖାଆନ୍ତେ ତାକୁ ଭକତ

"ଅବଢା"ନାମେ ମୁଁ ହେଲି ବିଦିତ

ସଜନୀ ଲୋ

ଥିଲି ଚାଉଳ ହେଲି ଅମୃତ।


କି ଅପୂର୍ବ ବାସ ତାର ! 

"ମାହାର୍ଦ୍ଦ"ନାମରେ ଜଗତେ ସାର

ସଜନୀ ଲୋ,

ବିଶ୍ୱାଧାରଙ୍କ ଅମୃତ ଭାର।


'ବସୁଧା କୁଟୁମ୍ବ' ଜ୍ଞାନ, 

ଭରି ମୋ ଦେହରେ ଶ୍ରୀନାରାୟଣ

ସଜନୀ ଲୋ

ଜଗତେ କରନ୍ତି ବିତରଣ।


"ଅବଢା" ଶୁଖିଲେ ସତେ,

"ନିର୍ମାଲ୍ୟ"ନାମେ ତ ବୋଲନ୍ତି ମତେ

ସଜନୀ ଲୋ

ମହା ପବିତ୍ର ସେହି ଜଗତେ।


କାଚ କାଞ୍ଚନ ସଙ୍ଗରେ

ମିଶିଲେ ମର୍କତ ରଙ୍ଗକୁ ଧରେ

ସଜନୀ ଲୋ

ମୋର ଭାଗ୍ୟଟି ସେହି ପ୍ରକାରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children